ୟୁରୋକିଡସ ରେ ମା’ ସରସ୍ୱତୀ ପୂଜା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ଶ୍ରୀ ପଂଚମୀ । ବିଦ୍ୟାଦାତ୍ରୀ ମା ସରସ୍ୱତୀ ପୂଜା । ଶ୍ରୀ ପଂଚମୀ ଦିନ ଶିଶୁ ମାନଙ୍କ ବିଦ୍ୟାରମ୍ଭ କାଳରେ ମା’ଙ୍କ ପୂଜା ଆରମ୍ଭ କରାଯାଇଥାଏ । ହିନ୍ଦୁ ସଂସ୍କୃତିରେ ଦେବୀ ସରସ୍ୱତୀଙ୍କ ଉପାସନା ବହୁ ପ୍ରାଚୀନ । ଆଦ୍ୟ ବସନ୍ତ ବର୍ଣ୍ଣାଢ୍ୟ ପୃଷ୍ଠ ଭୂମିରେ ଅନୁଷ୍ଠିତ ହୋଇଥାଏ ବାଗ୍ ଦେବୀଙ୍କ ସରସ୍ୱତୀଙ୍କ ପବିତ୍ର ପାର୍ବଣ । ସରସ୍ୱତୀ ଆତ୍ମ ଜ୍ଞାନର ଅବିଚ୍ଛେଦ୍ୟ ଅଙ୍ଗ । ସେ ନିତ୍ୟା, ଶୁଦ୍ଧା, ବିକାର, ବିବର୍ଜିତା । ତାଙ୍କ ବିନା ଜ୍ଞାନର ବର୍ତିକା ପରିକଳ୍ପନା କରିବା ଅସମ୍ଭବ । ମା ସରସ୍ୱତୀ ଶୁଭ୍ରତାର ପ୍ରତୀକ । ଯାହା ଧବଳ ତାହା ହିଁ ସର୍ତ୍ତ । ସ୍ୱଚ୍ଛ, ପବିତ୍ର ଓ ନିର୍ମଳ ମୂର୍ତ୍ତି ସାତ୍ତ୍ୱିକତାର ପରିପ୍ରକାଶ । ତୁଷାର ପରିସ୍ୱଚ୍ଛ, ସୁନ୍ଦର ଓ ପବିତ୍ରତାର ପ୍ରତୀକ ଧବଳ ବର୍ଣ୍ଣର ହଂସ ଦେବୀଙ୍କ ବାହାନ । ଏହି ଶୁଭ ଦିବସରେ ସବୁରି କଳା, ସାହିତ୍ୟ, ସଙ୍ଗୀତ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ପରମ୍ପରା ଅନୁସାରେ ଅନୁସରଣ କରି ଦେବୀ ଭଗବତୀଙ୍କ ପୂଜା କରାଯାଉଛି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆଖପାଖ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍ କଟକଣା ମଧ୍ୟରେ ମା ସରସ୍ୱତୀଙ୍କ ପୂଜା କରାଯାଇଛି । ସ୍ଥାନୀୟ ଜେଲ ରୋଡ୍ ନିକଟସ୍ଥ ୟୁରୋ କିଡସ ସ୍କୁଲ ପରିସରରେ ମାଙ୍କର ପୂଜା ନିରାଡମ୍ଭର ସହକାରେ ପୂଜା କରାଯାଇଛି । ଏହି ପରିପ୍ରେକ୍ଷୀରେ ଶକ୍ତି ଆଣ୍ଡ ଏଜୁକେସନ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚ୍ୟାୟାରମ୍ୟାନ ତଥା ଯୁବ ଆଇନଜିବୀ ରଞ୍ଜନ କୁମାର ମହାପାତ୍ର, ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନ୍ସପାଲ ପି.କେ. ମିଶ୍ର, ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡିଙ୍କ ସମେତ ବହୁ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ମାଙ୍କ ପୂଜା କରିବା ସହ ଆଶୀର୍ବାଦ ଲାଭ କରିଥିଲେ ।