‘ୟେସ ଫାର୍ମା’କମ୍ପାନୀ ମ୍ୟାନେଜରଙ୍କ ଅସ୍ୱାଭାବିକ ମୃତ୍ୟୁକୁ ବିତିଲା ୮ଦିନ : ତଦନ୍ତରେ ପୁଲିସର ନିଷ୍କ୍ରିୟତାକୁ ନେଇ ପରିବାର ଲୋକଙ୍କ ଅସନ୍ତୋଷ

ବାଲେଶ୍ୱର, (ସରୋଜ ପଣ୍ଡା) :-‘ୟେସ ଫାର୍ମା’ କମ୍ପାନୀର ସ୍ୟାଲ୍ସ ମ୍ୟାନେଜର ଗୁଡ଼ିପଦା ଅଞ୍ଚଳରେ ରହୁଥିବା କେନ୍ଦୁଝର ଜିଲାର ପ୍ରକାଶ ନନ୍ଦ ଅସ୍ୱଭାବିକ ମୃତ୍ୟୁକୁ ୮ ଦିନ ବିତିଥିବା ବେଳେ ତଦନ୍ତରେ ସହଦେବଖୁଣ୍ଟା ଥାନା ପୁଲିସର ନିଷ୍କ୍ରିୟତାକୁ ନେଇ ଏସପିଙ୍କଠାରେ ଫେରାଦ ହୋଇଛନ୍ତି ପରିବାର ଲୋକେ । ସ୍ୱର୍ଗତ ନନ୍ଦଙ୍କ ପିତା ଗୋପାଳ ନନ୍ଦ ଓ ମାଆ ରେଣୁବାଳା ନନ୍ଦଙ୍କ ସମେତ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ବୁଧବାର ସହଦେବଖୁଣ୍ଟା ଥାନାଧିକାରୀଙ୍କୁ ନେହୁରା ହେବା ସହ ତାଙ୍କ ପୁଅ ରହୁଥିବା ଘରର ଆସବାବପତ୍ର ଓ ବ୍ୟବହାର କରୁଥିବା କାର, ବାଇକ ସମେତ ଅନ୍ୟାନ୍ୟ ସାମଗ୍ରୀ ଏବେ କେଉଁଠି ଅଛି, ଜାଣିବାକୁ ଚାହିଁଥିଲେ । ଏମିତିକି ପ୍ରକାଶ ରହୁଥିବା ଘର ଗୁଡ଼ିପଦା ଅଞ୍ଚଳର କେଉଁ ସ୍ଥାନରେ, ତାହା ସିଲ ହୋଇଛି କି ନାହିଁ, ଯଦି ସିଲ ହୋଇଛି ତାହାଲେ ପୁଲିସ ଉପସ୍ଥିତିରେ ତାଲା ଖୋଲିବାକୁ ସେମାନେ ନିବେଦନ କରିଥିଲେ । ମାତ୍ର ସହଦେବଖୁଣ୍ଟା ଥାନା ପୁଲିସ ଏ ବାବଦରେ ସେମାନଙ୍କୁ କୌଣସି ସହଯୋଗ ନ କରିବା ଏମିତିକି କୌଣସି ସନ୍ତୋଷଜନକ ଉତ୍ତର ଦେଉ ନଥିବା ସ୍ୱର୍ଗତ ପ୍ରକାଶର ବାପା ଗୋପାଳ ନନ୍ଦ କହିଛନ୍ତି । ଶେଷରେ ଅନ୍ୟ ଉପାୟ ନ ପାଇ ସେମାନେ ବାଲେଶ୍ୱର ଏସପିଙ୍କ ସାକ୍ଷାତ କରିଥିଲେ । ସେମାନଙ୍କ ଆପତ୍ତି ଯେ ତାଙ୍କ ପୁଅ ପ୍ରକାଶ କେବେ ଆତ୍ମହତ୍ୟା କରି ନ ପାରେ । ସ୍ୱାତିକୁ ତାଙ୍କ ପୁଅ ବିବାହ କରି ନଥିଲା । ସ୍ୱାତିର ଘର କେଉଁଠି ସେମାନେ ଜାଣି ନାହାନ୍ତି । ସେମାନେ ଲିଭ-ଇନ-ରିଲେସନସିପରେ ରହୁଥିଲେ । ମାତ୍ର ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କ ପୁଅର ମୃତଶରୀରକୁ ସ୍ୱାତିକୁ କେମିତି ହସ୍ତାନ୍ତର କଲେ । ଅନ୍ୟପକ୍ଷରେ ତାଙ୍କ ଘରର ଏସି, ଟିଭି, ପ୍ରିଜ ପ୍ରଭୃତି ମୂଲ୍ୟବାନ ସାମଗ୍ରୀ, ମୋଟର ସାଇକେଲ ଓ କାର ଏବେ କେଉଁଠି ଅଛି, ସେ ସମ୍ପର୍କରେ ପୁଲିସ ମୁହଁ ଖୋଲୁ ନଥିବା ପିତା ପ୍ରକାଶ କହିଛନ୍ତି । ପୁଅର ମୃତ୍ୟୁ ଖବର ପାଇ ଗତ ୧୧ ତାରିଖରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଆସିଥିବା ଅବସରରେ ସେମାନେ ସ୍ୱାତିକୁ ପ୍ରଥମ ଥର ପାଇଁ ଦେଖିବାକୁ ପାଇଥିଲେ । ପ୍ରତି ସପ୍ତାହରେ ପୁଅ ପ୍ରକାଶ ଘରକୁ ଯାଉଥିଲେ ବି ସ୍ୱାତିକୁ ବିବାହ କରିଥିବା କଥା ପରିବାରକୁ କେମିତି ଜଣାଇ ନଥିଲା ବୋଲି ପିତାମାତା ପ୍ରଶ୍ନଛନ୍ତି । ତେବେ ପୁଅ ମୃତ୍ୟୁ ଘଟଣାକୁ ନେଇ ସହଦେବଖୁଣ୍ଟା ଥାନାରେ ଏତଲା ଦିଆଯାଇ ଥିବା ବେଳେ ତଦନ୍ତ କେଉଁଠି ପହଞ୍ଚିଲା ସେ ସମ୍ପର୍କରେ ପୁଲିସ କିଛି ନ କହିବାକୁ ନେଇ ଉଭୟ ପିତାମାତା ଏସପିଙ୍କୁ ନେହୁରା ହୋଇଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏନେଇ ସେମାନେ ସହଦେବଖୁଣ୍ଟା ଥାନାଧିକାରୀ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ପିତାମାତାଙ୍କ ସମେତ କେନ୍ଦୁଝରରୁ ଆସିଥିବା ଖୁଡ଼ି ସୁକାନ୍ତି ନନ୍ଦ, ପଡ଼ୋଶୀ ଇନ୍ଦୁମତି ତ୍ରିପାଠୀ, ସଞ୍ଜୁଲତା ତ୍ରିପାଠୀ, ପ୍ରତିମା ତ୍ରିପାଠୀ, ମମତା ତ୍ରିପାଠୀ, ମନୋରମା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉଲେଖ ଯୋଗ୍ୟ କି ଗତ ୧୧ ତାରିଖରେ ଗୁଡ଼ିପଦାସ୍ଥିତ ବସାଘରେ ଥିବା ବେଳେ ପ୍ରକାଶଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପାରିବାରିକ ଝଗଡ଼ା ଯୋଗୁଁ ଏକାଧିକ ପ୍ରକାରର ଟେବଲେଟ ଓ କ୍ୟାପସୁଲ ଖାଇ ଗୁରୁତର ହେବାରୁ ପ୍ରକାଶଙ୍କୁ ପତ୍ନୀ ସ୍ୱାତୀ ଜିଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ବୋଲି କହିଥିଲେ । ତେବେ ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କେନ୍ଦୁଝରରୁ ପ୍ରକାଶଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ମୃତଶରୀର ନେବାକୁ ଚାହିଁଥିଲେ । ମାତ୍ର ସ୍ୱାତୀ ପ୍ରକାଶର ମୃତଶରୀର ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ନେଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ