ୠଙ୍ଗାଲଟା ଗ୍ରାମରେ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ;୯ ଗିରଫ
ଯୋଡା,(ସମୀର କୁମାର ଦାସ) :କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଲଙ୍ଗାଲଟା ଗ୍ରାମରେ ରବିବାର ରାତିରେ ଗୋଷ୍ଠୀ ସଂଘର୍ଷ ଯୋଗୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠିଚାର୍ଜ କରି ଦୁଇ ଗୋଷ୍ଠୀର ୯ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାସ୍ଥଳକୁ ଯିବାରୁ ଜଣାପଡିଛି ଯେ, ଗତ ଶନିବାର ସ୍ୱାଧୀନତା ଦିବସ ରେ ଲଙ୍ଗାଲଟାରେ ଏକ ଗୋଷ୍ଠୀ ପକ୍ଷରୁ ପତାକା ଉତୋଳନ କରାଯାଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସେମାନଙ୍କର ଗୋଷ୍ଠୀ କନ୍ଦଳ ହୋଇଥିଲା । ଏହାପରେ ଉକ୍ତ ଗୋଷ୍ଠୀର ସମର୍ଥକମାନେ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବାରୁ ଉତେଜନା ଦେଖାଦେଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ପୁଣି ଥରେ ରବିବାର ରାତିପ୍ରାୟ ୮ ଘଟିକା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ମାରପିଟ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହନଚିଥିଲା । ତେବେ ଘଟଣା ନିୟନ୍ତ୍ରଣ ବାହାକୁ ଯିବାରୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠିଚାର୍ଜ କରିଥିଲା । ଏହି ଘଟଣାରେ ପୋଲିସ କେଶ୍ ନଂ ୧୦୬/୨୦୨୦ ରୁଜୁ କରି ଉଭୟ ଗୋଷ୍ଠୀର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଂଜୟ ବାରିକ, ଲକ୍ଷ୍ମୀଧର ପୃଷ୍ଟି, ଗଣେଶ୍ୱର ମହାନ୍ତ, କାଳୀଚରଣ ମୁଣ୍ଡା, ରାଜୁ ମୁଣ୍ଡା, ଭାନୁ ଓରାମ୍, ପରମେଶ୍ୱର ପାତ୍ର, ଗୌରୀ ଶଙ୍କର ପାତ୍ର, ତପନ ବୋଷ । ଉକ୍ତ ଲଙ୍ଗାଲଟାର କିଛି ମହିଳାପୁରୁଷ ଅଭିଯୋଗ କରି କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳରେ ପହନଚି ସେମାନଙ୍କର ଘର କବାଟ ଭାଙ୍ଗି ପଶିଥିଲା ଏବଂ ପୁରୁଷମାନଙ୍କୁ ନିସ୍ତୁକ ମାଡମାରିବା ସହିତ ମହିଳାମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲା । ପୋଲିସ ପ୍ରବଳ ମାଡ ମାରିବାରୁ ଶତାଧିକ ମହିଳାପୁରୁଷ, ଛୋଟ ଛୁଆ ଭୟରେ ସେମାନଙ୍କ ଘର ଛାଡି ନିକଟସ୍ଥ ଏକ ଖଣି ଜଙ୍ଗଲରେ ଆତ୍ମଗୋପନ କରିଥିବା ସେମାନେ ପ୍ରକାଶ କରିଛନ୍ତି । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୋଲିସ ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀକୁ ପରୋକ୍ଷରେ ସମର୍ଥନ ଦେଇ ସେମାନଙ୍କୁ ମାଡ ମାରିଥିବା ଏବଂ ସେମାନେ ଘରକୁ ଆସିଲେ ଘର ଜାଳିପୋଡି ଦିଆଯିବ ବୋଲି ସଂପୃକ୍ତ ଗୋଷ୍ଠୀର ସମର୍ଥକମାନେ ଧମକ ଦେଉଥିବାରୁ ଭୟରେ ସେମାନେ ଗାଁ ଛାଡି ଆତ୍ମଗୋପନ କରିଥିବା କହିଛନ୍ତି । ସେମାନେ ଅଭିଯୋଗ କରି କହିଛନ୍ତି ଯେ, ପୋଲିସ ଉକ୍ତ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ପରିଚାଳିତ ହୋଇ ସେମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ପୋଲିସର ଭୟରେ ଅନ୍ୟ ଗୋଷ୍ଠୀର ଲୋକେ ଜଙ୍ଗଲରେ ଭୋକଉପାସରେ ଲୁଚି ରହିଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ଖାଦ୍ୟ ଯୋଗାଇ ଦେଇଥିବା ଅଭିଯୋଗରେ କହିଛନ୍ତି ।