୧ଠ ଲକ୍ଷ ବୁଥ୍, ୯ଠ କୋଟି ଭୋଟରଙ୍କ ମଧ୍ୟରୁ ୧.୫ କୋଟି ନୂଆ ଆମେରିକାକୁ ଟପିବ ଖର୍ଚ୍ଚ, ଆକଳନ ୬ଠ ହଜାର କୋଟି
ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନ ସମେତ ୪ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା ଓ ସିକ୍କିମ୍ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ସମ୍ପର୍କରେ ଆଜି କେନ୍ଦ୍ର ନିର୍ବାଚନ ଆୟୋଗ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଥିସହ ଦେଶବ୍ୟାପୀ ନିର୍ବାଚନ ଆଦର୍ଶ ଆଚରଣ ବିଧି ବା ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ମଧ୍ୟ ଲାଗୁ ହୋଇଯାଇଛି । ତେବେ ନିର୍ବାଚନ ଆୟୋଗଙ୍କ ଘୋଷଣା ପରେ ପରେ ଦେଶର ରାଜନୈତିକ ଦଳଗୁଡିକ ମଧ୍ୟରେ ଏକ ହଟଚମଟ ସୃଷ୍ଟି ହୋଇଯାଇଥିବା ସ୍ପଷ୍ଟ ବାରି ହୋଇପଡୁଛି ।
ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ପ୍ରେସମିଟ୍ରେ ଦେଇଥିବା ସୂଚନାନୁସାରେ ଚଳିତ ଲୋକସଭା ନିର୍ବାଚନ ଦେଶପାଇଁ ସପ୍ତଦଶ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ନିର୍ବାଚନ ଆୟୋଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଆସନ୍ତା ଏପ୍ରିଲ ୧୧ତାରିଖରୁ ମେ’ ୧୯ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଦେଶବ୍ୟାପୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ଅନୂଷ୍ଠିତ ହେବ । ସେହିପରି ମେ’ ୨୩ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ । ଚଳିତ ନିର୍ବାଚନରେ ଦେଶର ୯ଠ କୋଟି ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଦେଶବ୍ୟାପୀ ମୋଟ୍ ୧ଠଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ । ଭୋଟର ସେମାନଙ୍କ ମତଦାନ ଉଭୟ ଇଭିଏମ୍ ମେସିନ୍ ଓ ଭିଭିପାଟ୍ ଯୋଗେ କରିବେ । ଇଭିଏମ୍ ମେସିନ୍ରେ ପ୍ରାର୍ଥୀଙ୍କ ଦଳୀୟ ସଂକେତ ଚିହ୍ନ ସହ ସେମାନଙ୍କ ଫଟୋ ମଧ୍ୟ ରହିବ । ଇଭିଏମ୍ର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତି ଇଭିଏମ୍ ମେସିନ୍ର ଜିପିଏସ୍ ଦ୍ୱାରା ଟ୍ରାକିଂ କରାଯିବ । ସେହିପରି ଚଳିତ ନିର୍ବାଚନରେ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସଂପର୍କିତ ସମସ୍ତ ତଥ୍ୟ ପ୍ରାର୍ଥୀ ପତ୍ରରେ ପ୍ରଦାନ କରିବେ । ପ୍ରାର୍ଥୀମାନଙ୍କର ସୋସିଆଲ ମିଡିଆରେ ପ୍ରଚାରକୁ ମଧ୍ୟ ଆଦର୍ଶ ନିର୍ବାଚନ ଆଚରଣ ବିଧିର ପରିସର ଭୁକ୍ତ କରାଯିବ । ଏତଦ୍ବ୍ୟତୀତ କୌଣସି ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ପ୍ର•ର ଅଭିଯାନ ବା ବିଜ୍ଞାପନ ଆଦିରେ ସେନା କର୍ମଚାରୀମାନଙ୍କର ଫଟୋ ପ୍ରଦର୍ଶନରୁ ବିରତ ରହିବାକୁ ମଧ୍ୟ ବାରଣ କରାଯାଇଛି । ପୂରା ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ଏବଂ ନିର୍ବାଚନ ସମ୍ପର୍କୀତ କୌଣସି ଅଭିଯୋଗ ରହିଥିଲେ ଅଭିଯୋଗ କରାଯିବାର ବିକଳ୍ପ ଖୋଲାରହିବ । ଅଭିଯୋଗ ହେବାର ମାତ୍ର ୧ଠଠ ଘଣ୍ଟା ମଧ୍ୟରେ ତାହା ଉପରେ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷେ ଚଳିତ ନିର୍ବାଚନ କାଳରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀ ପ୍ରାର୍ଥୀ କିମ୍ବା ଦଳଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟୋଗ ଏହି ଅବସରରେ ସ୍ପଷ୍ଟ କରିଛନ୍ତି । ଏଥିସହ କୋଡ୍ ଅଫ୍ କଣ୍ଡକ୍ଟ ଅନ୍ତର୍ଗତ ମତଗ୍ରହଣର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ବନ୍ଦ ହେବ ଓ ପ୍ରଚାର ସମୟରେ ମାଇକର ବ୍ୟବହାର ରାତି ୧ଠରୁ ସକାଳ ୬ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସେ କହିଛନ୍ତି ।
ତେବେ ପୂର୍ବ ନିର୍ବାଚନ ତୁଳନାରେ ଚଳିତ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । କାର୍ନିଜ୍ ଏଣ୍ଡୋମେଣ୍ଟ ଫର ଥିଙ୍କଟେକ୍ର ସିନିୟର ଫେଲୋ ଏବଂ ଦକ୍ଷିଣ ଏସିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମିଲନ ବୌଷ୍ଣବଙ୍କ ଅନୁଯାୟୀ, ୨ଠ୧୯ରେ ଭାରତରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଶତାବ୍ଦୀର ସର୍ବାଧିକ ବ୍ୟୟବହୁଳ ନିର୍ବାଚନ ସାବ୍ୟସ୍ତ ହେବ । ଏହି ଅବସରରେ ସେ ଏକ ରିପୋର୍ଟକୁ ମଧ୍ୟ ଉପସ୍ଥାପନ କରିଛନ୍ତି ଯେଉଁଥିରେ ୨ଠ୧୬ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଖର୍ଚ୍ଚ ତୁଳନାରେ ଭାରତରେ ହେବାକୁ ଯାଉଥିବା ଚଳିତ ଲୋକସଭା ନିର୍ବାଚନୀ ଖର୍ଚ୍ଚ ମଧ୍ୟ ତଦୁଦ୍ଧ୍ୱର୍ ହେବାର ସମ୍ଭାବନା ଦେଖାଦେଇଛି । ବୈଷ୍ଣବଙ୍କ କହିବାନୁସାରେ ୨ଠ୧୬ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ର୍ନିବାଚନ ଓ କଂଗ୍ରେସ ନିର୍ବାଚନରେ ମୋଟ୍ ୪୬,୨୧୧ କୋଟି ଟଙ୍କା (୬୫୦ କୋଟି ଡଲାର) ଖର୍ଚ୍ଚ ହୋଇଥିଲା । ସେହିପରି ୨ଠ୧୪ରେ ଭାରତରେ ହୋଇଥିବା ସାଧାରଣ ନିର୍ବାଚନରେ ଏହି ଖର୍ଚ୍ଚର ପରିମାଣ ୩୫, ୫୪୭ କୋଟି ଟଙ୍କା (୫୦୦ କୋଟି ଡଲାର) ରହିଥିଲା । ତେବେ ୨ଠ୧୯ ନିର୍ବାଚନରେ ଭାରତୀୟ ରାଜନୈତିକ ଦଳଗୁଡିକ ଯେଉଁ ପ୍ରକାର ଖର୍ଚ୍ଚ କରୁଛନ୍ତି ନିର୍ବାଚନ ଶେଷବେଳକୁ ମୋଟ୍ ଖର୍ଚ୍ଚ ପରିମାଣ ଅନାୟାସରେ ପୂର୍ବର ସମସ୍ତ ରେକର୍ଡ (ନିର୍ବାଚନୀ ଖର୍ଚ୍ଚ)କୁ ଅତିକ୍ରମ କରିଯିବ । ସେହିପରି ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ର ସର୍ଭେ ଅନୁଯାୟୀ, ଖର୍ଚ୍ଚର ପରିମାଣ ଯଦି ଏହି ଆକାରର ରହେ ତେବେ ୨ଠ୧୯ ଲୋକସଭା ନିର୍ବାଚନରେ ପାଖାପାଖି ୫ଠହଜାର ରୁ ୬ଠହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଉଛି । ଯଦି ଏପରି ହୁଏ, ତେବେ ଏହି ନିର୍ବାଚନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନର ମାନ୍ୟତା ପାଇବ ।
ଆଦର୍ଶ ଆଚରଣ ବିଧି କ’ଣ?
ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନ ଓ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ନିର୍ବାଚନ ଆୟୋଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ହେବା ପରେ ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ତେବେ ଏହା କ’ଣ, କେବେ ଠାରୁ ଏହାର ପ୍ରଚଳନ ହୋଇଥିଲା ଏବଂ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଏକ ସମ୍ୟକ ରିପୋର୍ଟ ଏଠାରେ ଉପସ୍ଥାପନ କରୁଛୁ ।
ଏହା ଏକ ନିୟମାବଳୀ ଯାହାକି ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ବଳବତ୍ତର ରହିଥାଏ । ଏହାକୁ ସବୁ ରାଜନୈତିକ ଦଳଗୁଡିକ ମାନିବାକୁ ବାଧ୍ୟ । ଏକ ସଂଗଠନ ରାଜନୈତିକ ଦଳ ମାନ୍ୟତା ପାଇବା ପାଇଁ ହେଲେ ସର୍ବପ୍ରଥମେ ନିର୍ବାଚନ ଆୟୋଗଙ୍କ ପାଖରେ ଏହି ସର୍ତ୍ତାବଳୀକୁ ମାନିବାକୁ ସତ୍ୟପାଠ ଦାଖଲ କରିବାକୁ ପଡିଥାଏ । ଏଥିରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ କେତେକ ଗାଇଡଲାଇନ୍ ରହିଥାଏ ଯାହାକୁ ସବୁ ରାଜନୈତିକ ଦଳ ମାନିବାକୁ ବାଧ୍ୟ ହୋଇଥାନ୍ତି । ନଚେତ୍ ସେମାନଙ୍କ ବିରୋଧରେ ନିର୍ବାଚନ ଆଇନ୍ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବାର ମଧ୍ୟ ପ୍ରାବଧାନ ରହିଛି । କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ଦିନ ଠାରୁ କୌଣସି ରାଜନୈତିକ ଦଳ ଭୋଟରଙ୍କୁ ପ୍ରଲୋଭିତ କରିବା ଭଳି କୌଣସି ଘୋଷଣା କରିପାରିବେ ନାହିଁ, ନିର୍ବାଚନୀ ରାଲି ଉପରେ ମଧ୍ୟ କଟକଣା ଲାଗୁ ହୋଇଥାଏ । ଏହି ସମୟରେ କେହି କାହା ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା, ଅର୍ଥ କାରବାର କରିବା ଆଦି ଉପରେ ନିର୍ବାଚନ ଆୟୋଗଙ୍କ ସତର୍କ ଦୃଷ୍ଟି ରହିଥାଏ । ଏଥିରେ ମୁଖ୍ୟତଃ ନେତାମନ୍ତ୍ରୀମାନେ ସେମାନଙ୍କ ଦଳୀ ମାନିଫେଷ୍ଟୋରେ କୌଣସି ପରିବର୍ତ୍ତନ ନକରିବାକୁ ବିଶେଷଭାବେ ବାରଣ କରାଯାଇଛି ।
ସର୍ବପ୍ରଥମେ ୧୯୬ଠରେ କେରଳରେ ଏହାର ଶୁଭାରମ୍ଭ ହୋଇଥିଲା । ରାଜ୍ୟ ବିଧାନସଭା ନିର୍ବାନ ସମୟରେ କ’ଣ କରାଯିବା ଉଚିତ୍ ଓ କ’ଣ ନୁହେଁ ସେନେଇ ଏକ ଲିଖିତ ନିୟମାବଳୀ କାର୍ଯ୍ୟକାରୀ କରାଯାଇଥିଲା । ପରେ ଅର୍ଥାତ୍ ୧୯୬୮ରେ କେନ୍ଦ୍ର ନିର୍ବାଚନ ଆୟୋଗ ଏହି ନିୟମ ସମ୍ପର୍କରେ ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା ପୂର୍ବକ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ । ନିର୍ବାଚନ ପ୍ରକ୍ରିୟାରେ ଏହା ସ୍ୱଚ୍ଛତା ବଜାୟ ରଖୁଥିବାରୁ ସବୁ ରଜାନୈତିକ ଦଳ ଏହାକୁ ଅନୁମୋଦନ କରିଥିଲେ । ପରେ ସୁପ୍ରିମକୋର୍ଟ ୨ଠ୧୩ରେ ଏହାକୁ ଏକ ବିଧିବଦ୍ଧ ନିର୍ବାଚନୀ ଆଇନ୍ରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଲେ । ଭାରତୀୟ ସମ୍ବିଧାନ ଧାରା ୩୨୪ ଅନୁଚ୍ଛେଦ ଅନୁଯାୟୀ ଏହାକୁ ସ୍ଥାନିତ କରାଯିବା ପର ଠାରୁ ଏହା କାର୍ଯ୍ୟକାରୀ ହୋଇଆସୁଛି ।