୧୦ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ୪୦ଲକ୍ଷ ଟଙ୍କାର ଘର, ବେଫିକର ପ୍ରଶାସନ
ହାଟଡିହି, (ବିକାଶ ବିଶ୍ୱାଳ ) :ସରକାର ବ୍ଲକ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଟଙ୍କା ଆସିବା ପରେ ଟେଣ୍ଡର ହେଉ କିମ୍ବା ବ୍ଲକ ମାଧ୍ୟମରେ ହେଉ କାମ ହେଉଛି । କିନ୍ତୁ ସେ କାମ ସମ୍ପୁର୍ଣ୍ଣ ହେଲାକି ନାହିଁ, ତାହା କାର୍ଯ୍ୟକ୍ଷମ ହେଲା ନା ନାହିଁ ତାହାର ତଦାରଖ କରାଯାଉ ନାହିଁ । ଯେଉଁଥି ପାଇଁ ଅନେକ ପ୍ରକଳ୍ପରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତାହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ସତେ ଯେପରି ବ୍ଳକ କାମର କେହି ବାପା, ମା ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛେନାପଦିଚକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ । ହାଟଡିହି ବ୍ଲକ ପକ୍ଷରୁ ଛେନାପଦି ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଆଜକୁ ୧୦ବର୍ଷ ହେଲା ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏକ ଘର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି । ସେତେବେଳେ ବ୍ଲକର ବିଡିଓ ଏବଂ କନିଷ୍ଠଯନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଘରଟି ନିର୍ମାଣ କରାଯାଉ ଥିବାବେଳେ ଏହାକୁ ଶ୍ରେଣୀଗୃହ ସହିତ ଡ୍ରାମା ହଲ ଭାବେ ବ୍ୟବହାର କରିବାକୁ ଯୋଜନା କରାଯାଇଥିଲା । ଏକକାଳୀନ ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବସିପାରିବା ଭଳି କ୍ଷମତା ରଖିଥିବା ଏହି ଘରଟିର କାମ ମଜବୁତ ହୋଇଥିଲେ ମଧ୍ୟ ପୁର୍ଣ୍ଣାଙ୍ଗ ହୋଇ ପାରିଲାନି । କିନ୍ତୁ କାମ କରୁଥିବା ଠିକାଦାର ଘରକାମ ସମ୍ପୁର୍ଣ୍ଣ ନକରି ଛାତ ପକାଇବା ପରେ କାମ ବନ୍ଦ କରିଦେଲେ । ଘରର କବାଟ, ଝରକା ଲାଗି ନଥିବାବେଳେ ପ୍ଲାଷ୍ଟର ମଧ୍ୟ ହୋଇନାହିଁ । ସେହିଦିନ ଠାରୁ ଘରଟି ପରିତ୍ୟକ୍ତ ହୋଇ ପଡିରହିଛି । ଏହାକୁ ପୁର୍ଣ୍ଣାଙ୍ଗ କରିବାପାଇଁ କଲେଜ କର୍ତ୍ତୁପକ୍ଷ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସବୁଠି ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଯଦି ଘରଟି ସମ୍ପୁର୍ଣ୍ଣ ହୁଅନ୍ତା ତେବେ ବ୍ଲକର ଅଧିକାଶଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏଠାରେ ହୋଇ ପାରନ୍ତା । ତେଣୁ ହାଯଡିହି ବ୍ଲକର ବିଡିଓ, କଲେଜର ସଭାପତି ତଥା ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଶାସଙ୍ଗ ପଞ୍ଚାୟତର ସରପଞ୍ଚ, କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।


