୧୦୦୦ କୋଟି ବନ୍ୟା ସହାୟତା ଦାବି
ବଲାଙ୍ଗୀର: ବନ୍ୟା କ୍ଷତିଗ୍ରସ୍ତଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ଏଭଳି ଅଭିଯୋଗ ନେଇ ଗର୍ଜିଛି ବଲାଙ୍ଗୀର ଜିଲ୍ଲା କଂଗ୍ରେସ । ଦଳ ପକ୍ଷରୁ ୧୦୦୦ କୋଟି ଟଙ୍କା ବନ୍ୟା ସହାୟତା ଦାବିରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି ।
ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ବିକ୍ଷାଭ ସମାବେଶରେ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ବଲାଙ୍ଗୀର ବନ୍ୟାରେ ବହୁ ଲାକଙ୍କ ଧନଜୀବନ ନଷ୍ଟ ହେଲା । ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କ ମନ୍ତ୍ରୀ ଆସି ନିଜ ଆଖିରେ ସବୁ ଦେଖି ଫେରିଥିଲେ । ଏକହଜାର କୋଟି ଟଙ୍କା ସହାୟତା ଦାବି କରାଯାଇଥିଲା । କିନ୍ତୁ ମିଳିଲା ୩୬ କୋଟି । ପାର୍ବଣ ପୂର୍ବରୁ ସରକାରଙ୍କୁ ଦାବି ପୂରଣ ପାଇଁ ଚେତାବନୀ ଦିଆଯାଇଥିଲା । କିନ୍ତୁ ଦାବିକୁ କେହି କର୍ଣ୍ଣପାତ କଲେ ନାହିଁ । ଏକହଜାର କୋଟି ବଦଳରେ ଶହେ କୋଟି ବି ଦେଇ ନାହାନ୍ତି । ବଲାଙ୍ଗୀର ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ଅଣଦେଖା କରିଛନ୍ତି । ତୁରନ୍ତ ଦାବି ପୂରଣ ପୂର୍ବକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ନକଲେ ଆଗକୁ ସାରା ଜିଲ୍ଲାରେ ଆନ୍ଦୋଳନର ନିଆଁ ବ୍ୟାପିବ ବିଧାୟକ ଶ୍ରୀ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ।କଂଗ୍ରେସ ଅଫିସରୁ ଏକ ବିଶାଳ ଶାଭାଯାତ୍ରାରେ ବାହାରି ଦଳୀୟ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶୋଭାଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ନେତୃତ୍ୱ ନେଇଥିଲେ । ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଦିଲ୍ଲୀପ ବେହେରା ସଭାପତିତ୍ୱ କରିଥିଲେ । ଜିଲ୍ଲା କଂଗ୍ରେସ ମୁଖପାତ୍ର ସାନନ୍ଦ ମିଶ୍ର ସଂଯୋଜନା କରିଥିଲେ ।