୧୦୦ ଟଙ୍କା ବଟନ୍ ମାରିଲେ ଏଟିଏମରୁ ବାହାରିଲା ୫୦୦ ଟଙ୍କା
ବେଙ୍ଗାଲୁରୁ: ଏଟିଏମରୁ ଲୋକମାନେ ୧୦୦ ଟଙ୍କା ଉଠାଇବାକୁ ଯିବାବେଳେ ସେଥିରୁ ୫୦୦ ଟଙ୍କା ବାହାରିଲା । ଏହି ଖବର ପ୍ରସାରିତ ହେବା ପରେ ଲୋକେ ସେହି ଏଟିଏମରେ ଭିଡ଼ ଲଗାଇଲେ । ଫଳରେ କିଛି ସମୟ ମଧ୍ୟରେ ଗ୍ରାହକମାନେ ଏହି ଏଟିଏମରୁ ଲକ୍ଷେ ୭୦ ହଜାର ଟଙ୍କା ଉଠାଇ ନେଇଗଲେ । ଗତ ବୁଧବାର ଏହି ଘଟଣା ଘଟିଥିବା ବେଳେ ବ୍ୟାଙ୍କର ଜଣେ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି ।
ଏଟିଏମରେ ନଗଦ ଅର୍ଥ ଭର୍ତ୍ତି ବା ପରିଚାଳନା କରୁଥିବା ସଂସ୍ଥାର ତ୍ରୁଟି ଯୋଗୁ ଏଭଳି ସ୍ଥିତି ହୋଇଛି । ୧୦୦ ଟଙ୍କିଆ ନୋଟ୍ ପାଇଁ ଏଟିଏମରେ ଉଦ୍ଦିଷ୍ଟ ଟ୍ରେରେ କର୍ମଚାରୀମାନେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ରଖିଦେଇଥିଲେ । ତେଣୁ ଲୋକମାନେ ଲକ୍ଷେ ୭୦ ହଜାର ଟଙ୍କା ଉଠାଇ ନେଇଛନ୍ତି ବୋଲି କୋଡାଗୁ ଏସପି ସୁମନ ଡି ପେନ୍ନେକର କହିଛନ୍ତି । କୋଡାଗୁ ଜିଲ୍ଲାର ମାଡିକେରି ସହରରେ ଏହି ଘଟଣା ଘଟିଛି । ବେଙ୍ଗାଲୁରୁର ଦକ୍ଷିଣ ପଶ୍ଚିମ ଦିଗରେ ୨୬୮ କି.ମି ଦୂରରେ ମାଡ଼ିକେରି ସହର ରହିଛି । ତେବେ ବ୍ୟାଙ୍କ ଲୋକମାନେ ଉଠାଇ ନେଇଥିବା ଅର୍ଥ ପାଇଁ ପୁଲିସ ସହାୟତା ନ ନେଇ ନିଜେ ପ୍ରଚେଷ୍ଟା କରିଛି । ଯେଉଁମାନେ ୫୦୦ ଟଙ୍କା ଲେଖାଏଁ ଉଠାଇ ନେଇଥିଲେ ସେମାନଙ୍କୁ ବ୍ୟାଙ୍କ ଚିହ୍ନିବାରେ ସଫଳ ହୋଇଛି । ଏମାନଙ୍କଠାରୁ ମଧ୍ୟ ଟଙ୍କା ଫେରାଇ ଆଣିଛି । କିନ୍ତୁ ୬୫ ହଜାର ଟଙ୍କା ଉଠାଇ ନେଇଥିବା ବ୍ୟକ୍ତି ଟଙ୍କା ଫେରେଇବାକୁ ପ୍ରଥମେ ରାଜି ନଥିଲେ । ପରେ ସେମାନେ ଉଠାଇଥିବା ଟଙ୍କା ଫେରାଇ ଦେଇଥିଲେ ।