୧୦ ଦଫା ଦାବି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ବିରାଟ ଧାରଣା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣା ଓ ସମାବେଶରେ ଭୀଷଣ ଖରା ସତ୍ତ୍ୱେ ରାଜ୍ୟର କୋଣଅନୁକୋଣରୁ ୧୦ ହଜାରରୁ ଉର୍ଦ୍ଧ୍ୱ ପାଚକ ପାଚିକା ଯୋଗ ଦେଇଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ମହାସଚିବ ଶ୍ରୀ ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦାବିଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୁଝି ଖୁବ୍ ଶୀଘ୍ର ମା’ମାନଙ୍କର ବିଭିନ୍ନ ଜିଲ୍ଲାରୁ ସଦସ୍ୟଙ୍କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ଆଲୋଚନା କରିବାର ଘୋଷଣା କରିଥିଲେ ।ସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ନେଇ ମଧ୍ୟାହ୍ନ ଭୋଜନର ନିର୍ଦ୍ଦେଶକ ରଘୁରାମ ଆୟାରଙ୍କ ସହିତ ସାକ୍ଷାତ ଆଲୋଚନା କରି ଦୀର୍ଘ ୨୭ବର୍ଷ ଧରି ମଧ୍ୟାହ୍ନ ଭୋଜନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଇ ଆସୁଥିଲେ ମଧ୍ୟ ସରକାରଙ୍କ ତରଫରୁ ମା’ମାନଙ୍କୁ ଦିଆଯାଉଥିବା ଦୈନିକ ପ୍ରାପ୍ୟ ୪୭ ଟଙ୍କା ୬୬ ପଇସା ଅତି ନଗଣ୍ୟ ବୋଲି କ୍ଷୋଭପ୍ରକାଶ କରିଥିଲେ ଏବଂ ଅଦ୍ୟାବଧି ମା’ମାନେ ପରିଚୟ ପତ୍ର ଏବଂ ନିଯୁକ୍ତି ପତ୍ର ପାଇନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଯେହେତୁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଯୋଜନା ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଚାଲୁଥିଲା ବେଳେ ରାଜ୍ୟ ସରକାର ବିଭିନ୍ନ ସମୟରେ ସକରାତ୍ମକ ମନୋଭାବ ଦେଖାଇ ମା’ମାନଙ୍କ ଅଳ୍ପ କେତୋଟି ଦାବି ପୂରଣ କରି ଆସୁଥିବା ବେଳେ ରାଜନୈତିକ ପଶାପାଲିରେ ଓଡ଼ିଶାର ମା’ମାନଙ୍କୁ କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନର ୬୦ ଭାଗ ପ୍ରାପ୍ୟ ଦେଉନଥିବାରୁ ମା’ମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି ।ଗତ ୧୩.୦୩.୨୦୨୩ରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମା’ମାନଙ୍କୁ ଭୁବନେଶ୍ୱର ଡାକି ଦେଇଥିବା ଆର୍ଥିକ ସହାୟତା ୧୧୭.୭୩ ଲକ୍ଷ ଏବଂ ଶାଢୀ ପାଇଁ ୫୦୦ ଟଙ୍କା ଲେଖାଏଁ ୫ କୋଟି ୪୫ ଲକ୍ଷ ମା’ମାନଙ୍କ ପାଇଁ ସାମ୍ପତ୍ରିକ ପରସ୍ଥିତିରେ ଏକ ବଡ଼ ସ୍ୱୀକୃତି ପାଇଁ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କିନ୍ତୁ ମହାସଂଘର ଅନ୍ୟ ଦାବିଗୁଡ଼ିକ ପୂରଣ ହୋଇନଥିବାରୁ ମହାସଂଘର ୧୦ ଦଫା ଦାବି ଯଥା ପାଚକ ପାଚିକାମାନଙ୍କୁ ତୁରନ୍ତ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ପ୍ରଦାନ କରିବା, ଦୈନିକ ୩୪୫ ଟଙ୍କା ମଜୁରୀ ପ୍ରଦାନ କରିବା, ମଧ୍ୟାହ୍ନଭୋଜନ ପାଚକ ପାଚିକା ପରିଚାଳନାକୁ ଏସ୍ଏମ୍ସି ଏବଂ ଏସ୍ଏଚ୍ଜି ଅଧିନରୁକ୍ତ ମୁକ୍ତ ରଖି ଶିକ୍ଷା ବିଭାଗ ନିୟନ୍ତ୍ରଣରେ ରଖିବା ସହ ୧୦ ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଛି । ଯଦିଓ ୨୦୧୮ ମସିହାରୁ ଘୋଷଣା କରାଯାଇଥିବା ମାସିକ ପ୍ରାପ୍ୟ ୨୦୦୦ ଟଙ୍କା ମଧ୍ୟରୁ ରାଜ୍ୟ ସରକାର ସେୟାରିଂ ପେଟେନରେ ୧୪୦୦ ଟଙ୍କା ଦେଉଥିବା ବେଳେ ପ୍ରତ୍ୟେକ ମାସର ୬୦୦ ବକେୟା ଏହିଭଳି ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମା’ଙ୍କର ୩୦ ହଜାରରୁ ଉର୍ଦ୍ଧ୍ୱ ବକେୟା ଟଙ୍କା କେନ୍ଦ୍ର ସରକାର ତୁରନ୍ତ ଦେବା ପାଇଁ ଦାବି କରାଯାଇଛି । ଉପରୋକ୍ତ ଦାବି ଗୁଡ଼ିକ ୧ମାସ ମଧ୍ୟରେ ପୂରଣ ନହେଲେ ସଂଘ ତରଫରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମହାସଂଘ ତରଫରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶ୍ରମିକ ନେତା ନବ ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ କେନ୍ଦ୍ରୀୟ ସଂଯୋଜକ ରାଜୀବ ପାତ୍ର, ବିଜୁ ଶ୍ରମିକ ସହବନ୍ଧିତ ଅଙ୍ଗନୱାଡ଼ି ସଂଯୋଜକ ଦୁର୍ଗା ସାମନ୍ତରାୟ, ପାଚିକା ସଂଘ ଉପଦେଷ୍ଟା ନିରଞ୍ଜନ ପାତ୍ର ଏବଂ ପ୍ରଦୀପ ନାୟକ, ହରେକୃଷ୍ଣ ମେହେର, ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସରୋଜିନୀ କୁମୁରା, ଉପସଭାନେତ୍ରୀ ଶାନ୍ତି ଲୋହରା, ସାଧାରଣ ସମ୍ପାଦକ କାର୍ତ୍ତିକ ସା, ସହ ସମ୍ପାଦକ ସୁରେନ୍ଦ୍ର ଧାରୁଆ, ଦୀପାଞ୍ଜଳି ଯାଦବ, ରାମକୃଷ୍ଣ ପାଢୀ, ବାଲା ରାରୟ, ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କ ସମେତ ମହାସଂଘର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ ।


