୧୦ ରୁ ରାମ ମନ୍ଦିର ନିର୍ମାଣ
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟଣାଇ ଆସନ୍ତା ଜୁନ ୧୦ ତାରିଖରୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେଠାରେ ରୌଦ୍ରାଭିଷେକ କରାଯିବ । ଫାଉଣ୍ଡେସନ ନିର୍ମାଣ କରୁଥିବା କମ୍ପାନୀ ଏଲ ଆଣ୍ଡ ଟି ଦ୍ୱାରା ମନ୍ଦିରର ଭିତ୍ତି ପଡ଼ିବ । ଏଥିନିମନ୍ତେ କମ୍ପାନୀ ଦ୍ୱାରା ଭୂମି ସମତଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରୌଦ୍ରାଭିଷେକ ବ୍ୟତୀତ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରାଚୀନ କୁବେର ଟିଲାଠାରେ କେତେକ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବ । ମହନ୍ତ କମଳ ନୟନ ଦାସ ଅନ୍ୟ କେତେକ ପୂଜକଙ୍କ ସହ ମିଶି ରୌଦ୍ରାଭିଷେକ ପୂଜା କରିବେ । ସକାଳ ୮ ରୁ ପୂଜା ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ପୂଜା ଚାଲିବ । ଏହା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ମୁତାବକ, ଲଙ୍କା ବିଜୟ ପୂର୍ବରୁ ପ୍ରଭୁ ରାମ ରୌଦ୍ରାଭିଷେକ କରିଥିଲେ । ଏଣୁ ମନ୍ଦିର ନିର୍ମାଣ ପୂର୍ବରୁ ମଧ୍ୟ ଏହି ପୂଜା କରାଯିବ ।


