୧୧୦ ଗ୍ରାମର ବ୍ରାଉନ ସୁଗାର ସହ ବୁଲେଟ ଜବତ ଜଣେ ଗିରଫ
ବାଲେଶ୍ବର, (ସରୋଜ ପଣ୍ଡା):ଜିଲା ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ୧୬ ନଂ ଜାତୀୟ ରାଜପଥର ବାହାନଗା ବଜାର ଗଳା ପୋଲ ତଳୁ ମଙ୍ଗଳବାର ଜଣକୁ ଗିରଫ କରିବା ସହ ତା’ଠାରୁ ୧୧୦ ଗ୍ରାମର ଧଳା ଜହର ଜବତ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସୋର ଥାନା ଆଟପୁର ଅଂଚଳର ଚକ୍ରଧର ପଣ୍ଡା (୪୭)। ବାହାନଗା ଅଞ୍ଚଳରେ ବ୍ୟାପକ ଧଳା ଜହର କାରବାର ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିେର୍ଦ୍ଦଶ କ୍ରମେ ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ଇନସ୍ପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ବରେ ଆଜି ଏହି ଚଢ଼ଉ ହୋଇଥିଲା। ବ୍ରିଜ ତଳେ ବୁଲେଟ ଛିଡ଼ା କରାଇ ଅଭିଯୁକ୍ତ ଚକ୍ରଧର ଧଳା ଜହର ବିକ୍ରି କରୁଥିବା ବେଳେ ଅବକାରୀ ଟିମ ତାଙ୍କୁ କାବୁ କରିଥିଲା। ଓଡି୦୧/ଏଏନ ୩୯୩୩ ନଂର ବୁଲେଟ ସହ ତା’ଠାରୁ ୧୧୦ ଗ୍ରାମ ଧଳା ଜହର ଅବକାରୀ ଟିମ ଜବତ କରିଥିଲା। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅବାକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତ ଚକ୍ରଧରକୁ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଭକ୍ତ ଚରଣ ସ୍ୱାଇଁ, ଏଏସଆଇ ମଙ୍ଗଳ କୁମାର ସିଂ, ସୃଷ୍ଟିଧର ଦେଉରୀ, ବିଦ୍ୟାଧର ବିନ୍ଧାଣୀ, ରଶ୍ମିରେଖା ପାତ୍ର, ସୁନାରାମ ସୋରେନ, କାଜଲ ପ୍ରିୟଦର୍ଶନୀ ପ୍ରମୁଖ ସାମିଲ ହୋଇଥିଲେ।