୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡ଼ିକାଲ ସମ୍ମୁଖରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ(୫୦)ଙ୍କ ମୃତ୍ୟୁ ଘଟିଛି |ମିଳିଥିବା ସୂଚନା ଅନୁଯାୟୀ ଆଜି ଚକ୍ର ଅପରାହ୍ନରେ ନିଜ ସାଇକେଲରେ ଲାଞ୍ଜିଗଡ ଆସି ଘରକୁ ଫେରିବାବେଳେ ସନ୍ଧ୍ୟା ୬ଟା ସମୟରେ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡ଼ିକାଲ ସମ୍ମୁଖରେ ଥିବା ଏକ ଡିମିରି ଗଛକୁ ଡାଳ କାଟିବାକୁ ଚଢ଼ିଥିବାବେଳେ ଗଛ ଡାଳ ମଧ୍ୟ ଦେଇ ଯାଇଥିବା ଲାଞ୍ଜିଗଡଠାରୁ ବଳଭଦ୍ରପୁର ଗ୍ରାମକୁ ସଂଯୋଗ ହୋଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିଲା । ଆସନ୍ତା ୧୫ ତାରିଖରେ ନିଜ ବଡଭାଇଙ୍କ ପୁଅର ବାହାଘର ଥିବାବେଳେ ଭୋଜି ପାଇଁ ଛେଳି କିଣି ଘରେ ରଖାଯାଇଛି। ସେହି ଛେଳିକୁ ଡାଳ ଦେବା ପାଇଁ ଚକ୍ର ଗଛ ଚଢ଼ିଥିବା ଲୋକେ ସନ୍ଦେହ କରୁଛନ୍ତି । ଖବର ପାଇ ଲାଞ୍ଜିଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗଛରୁ ମୃତ ଦେହ ଉଦ୍ଧାର ହୋଇନଥିବା ଜଣା ପଡ଼ିଛି । ଅପରପକ୍ଷରେ ବିଦ୍ୟୁତ୍ ବିଭାଗର ଲଗାତାର ଅବହେଳା ଯୋଗୁଁ ଉଚ୍ଚଶକ୍ତି ସଂପନ୍ନ ଏଇ ତାର ଗଛ ମଧ୍ୟଦେଇ ଯାଇଥିବାବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏହାକୁ ହଟାଯାଇନଥିଲା ! ପୂର୍ବରୁ ଗତ ଏକ ମାସ ତଳେ ବଳଭଦ୍ର ପୁର ଗାଁର ପଦ୍ମନାଭ ଗଉଡ଼ଙ୍କୁ ମଧ୍ୟ ସେହି ଗଛରେ ବିଦ୍ୟୁତ ତାର ଲାଗି ଗୁରୁତର ଆହତ ହୋଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଏପରି ବାରମ୍ବାର ଛୋଟମୋଟ ଘଟଣା ଘଟୁଥିବାବେଳେ ବିଭାଗ ନଜରଅନ୍ଦାଜ କରିଦେଉଥିଲା ! ଏବେ ବିଭାଗର ସେଇ ଅବହେଳା ଜଣଙ୍କ ଜୀବନ ନେଇଛି ! ଏଣୁ ମ୍ରୁତ ଚକ୍ରଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ