୧୧ ହଜାର ଗାଁରେ ମୋବାଇଲ ସ୍ୱପ୍ନ!
ଭୁବନେଶ୍ୱର: ଏଯାଏ ରାଜ୍ୟର ୧୧ ହଜାର ଗାଁରେ ଟେଲି ଯୋଗାଯୋଗ ପହଞ୍ଚିନାହିଁ । ମୋଟ ୫୧, ୩୧୧ ଗାଁରୁ ୧୧ ହଜାର ଗାଁରେ ଏବେ ବି ମୋବାଇଲ ସ୍ୱପ୍ନ ହୋଇ ରହିଛି । ସମ୍ପୃକ୍ତ ୧୧ ହଜାର ଗାଁ ମଧ୍ୟରୁ କେବଳ ମାଓ ଅଧ୍ୟୁଷିତ ଅଞ୍ଚଳର ୧୦ ହଜାର ଗାଁ ରହିଛି । ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥିତି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ଦିଆଯାଇଛି ।
ଅନ୍ୟପକ୍ଷରେ ମୋବାଇଲ ବ୍ୟବହାରକାରୀ ସଂଖ୍ୟାରେ ବି ଓଡ଼ିଶା ଜାତୀୟ ହାର ତୁଳନାରେ ରହିଛି । ଜାତୀୟସ୍ତରରେ ଟେଲିଘନତ୍ବ ୯୩.୨୭% ଥିବାବେଳେ ରାଜ୍ୟରେ ୮୦.୨୮% ରହିଛି । ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟାରେ ବି ଓଡ଼ିଶା ଜାତୀୟ ହାର ତଳେ ରହିଛି । ଜାତୀୟ ସ୍ତରରେ ୩୮.୦୨% ଲୋକ ଇଣ୍ଟରନେଟ ବ୍ୟବହାର କରୁଥିବାବେଳେ ରାଜ୍ୟସ୍ତରରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୮.୨୨% ରହିଛି । ପ୍ରକାଶ ଯେ, ବଜେଟ ପୂର୍ବରୁ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ତେବେ ଏହି ରିପୋର୍ଟରେ ରାଜ୍ୟ ଅଭିବୃଦ୍ଧି ହାର କମିଥିବା ନେଇ ଉଲ୍ଲେଖ ରହିଛି । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ କରାଯାଇଛି । ଗତ ବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭.୯୦% ରହିଥିଲା । ବାତ୍ୟା ଯୋଗୁଁ କୃଷି ଉପôାଦନ କମିଥିବାରୁ ଜିଏସଡିପି ହ୍ରାସ ପାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଖଣିଜ କାରବାରରେ ମାନ୍ଦା ଯୋଗୁଁ ଜିଏସଡିପି କମିଥିବା ଉଲ୍ଲେଖ ରହିଛି । ତେବେ ଜାତୀୟ ଜିଏସଡିପି ୨୦୧୯-୨୦ରେ ୫% ଆକଳନ ନେଇ ଉଲ୍ଲେଖ ରହିଛି । ସେହିପରି ଜାତୀୟ ତୁଳନାରେ ରାଜ୍ୟର ମୁଣ୍ଡ ପିଛା ଆୟ କମିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୯-୨୦ରେ ରାଜ୍ୟର ମୁଣ୍ଡ ପିଛା ଆୟ ୧,୦୧,୫୮୭ ଟଙ୍କା ରହିଥିବାବେଳେ ୨୦୧୮-୧୯ରେ ରାଜ୍ୟର ମୁଣ୍ଡ ପିଛା ଆୟ ଥିଲା ୯୫,୧୬୪ । ୨୦୧୯-୨୦ରେ ଜାତୀୟ ମୁଣ୍ଡ ପିଛା ଆୟ ୧,୩୫,୦୫୦ ଟଙ୍କା ଥିଲା ।


