୧୨ଦଫା ଦାବି ନେଇ ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ,ମୂଲିଆ ସଂଘର ବିକ୍ଷୋଭ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଏକ ଦାବିପତ୍ର ବିଡିଓ ତପନ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରକୁ ରାଜ୍ୟ କମିଟିର ସଦସ୍ୟ କମ୍ରେଡ ସୁବାସ ସ୍ୱାଇଁ, ମହେଶ୍ୱର ଦାସ, ନବକିଶୋର ମହାନ୍ତି, ବସନ୍ତ ମଲ୍ଲିକ, ସୁରେଶ ଚନ୍ଦ୍ର ବେହୁରା, ରଘୁନାଥ ଦାସ, ଅମରେଶ୍ୱର ଭୋଇ,ସମୀର ବେହେରା ଆଦି ବକ୍ତବ୍ୟ ରଖିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଦାନ କରାଯାଇଥିବା ଦାବି ଗୁଡିକ ମଧ୍ୟରେ ସମସ୍ତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ଓ ଅଧା ଖୋଳା ନାଳ ଗୁଡିକୁ ସଂପୂର୍ଣ୍ଣ ରୂପେ ଖୋଳିବା, ବାଉଁଶ ଯୋଡି ଉପତ୍ୟକାରୁ ଉଦବୃତ ଜଳ ନିଷ୍କାସନ ନିମନ୍ତେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିବା, ଆଗାମୀ ରବି ଫସଲ ପାଇଁ ଚିନାବାଦାମ, ବିରି, କୀଟନାଶକ ଔଷଧ ଓ ସାର ଆଦି ରିହାତି ଦରରେ ଯୋଗାଇବା, ସରକାରୀ ଉଦ୍ୟୋଗରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ସମସ୍ତ କୃଷିଜାତ ଦ୍ରବ୍ୟ ପାଇଁ ଏମଏସପି ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରିବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହ୍ରାସ କରିବା, ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା ଲାଗୁ କରିବା, ଚାଷୀ ଫସଲ ନଷ୍ଟ କରୁଥିବା ବୁଲା ବାଛୁରୀଙ୍କ କବଳରୁ ରକ୍ଷା କରିବା,ବିଦ୍ୟୁତର ଘରୋଇକରଣ ବନ୍ଦ ସହିତ ଅତିରିକ୍ତ ସିକ୍ୟୁରିଟ ଡିପୋଜିଟ ଆଦାୟ ପ୍ରତ୍ୟାହାର କରିବା,୬୦ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ୩୫୦୦ଟଙ୍କା ଭତା ପ୍ରଦାନ କରିବା ଆଦି ରହିଛି ।