୧୨ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ଛତ୍ରପୁର (ଓ୍ବାଇଏନ୍ଏସ୍) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ଡାକରାରେ ଗଞ୍ଜାମ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ସହଯୋଗରେ ଛତ୍ରପୁର ଓ ଚମାଖଣ୍ଡି ଆଂଚଳିକ ପରିଷଦ ପକ୍ଷରୁ କରୋନା ମହାମାରୀ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଲକଡାଉନ ଘୋଷଣା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ିଯାଇଥିବାବେଳେ ସମ୍ପ୍ରତି ଅମ୍ପାନ ବାତ୍ୟା ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନାହିଁ ନଥିବା କ୍ଷତି ଘଟାଇସାରିଛି । ଏହି ପରିସ୍ଥିତିର ମୁକାବିଲା ସହିତ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ବୁଧବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଳିତ ୧୨ ଦଫା ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ଦର୍ଶାଯାଇଛି ଯେ ଅମ୍ପାନ ବାତ୍ୟା କ୍ଷୟକ୍ଷତି ତଦନ୍ତ କରାଯାଇ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଉ, ମନରେଗା ପ୍ରକଳ୍ପ କାର୍ଯ୍ୟକାରୀ କରି ବେକାର ଯୁବକଯୁବତୀ ଓ ଦିନ ମଜୁରିଆମାନଙ୍କୁ କାମ ଧନ୍ଦା ଯୋଗାଇ ଦିଆଯାଉ, ସମସ୍ତ ପ୍ରବାସୀ ଓଡ଼ିଆ ପରିବାରଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉ, ଏପିଏଲ/ବିପିଏଲ ବାଛବିଚାର ନକରି ପ୍ରତ୍ୟେକ ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଉ, ଧାନ ବିକ୍ରି ପାଇଁ ସରକାରଙ୍କଠାରୁ ଟୋକନ ପାଇଥିବା ଚାଷୀଙ୍କର ଧାନ ସରକାର କିଣିବା ବ୍ୟବସ୍ଥା କରନ୍ତୁ । କରୋନା ମହାମାରୀ ଆଡ଼ରେ ସମଆଇନକୁ ଭଣ୍ଡୁରୁ କରାନଯାଉ, ନୂତନ ଚାଷୀଙ୍କ ବିହନ, ସାର, କୀଟନାଶକ ଔଷଧ ମାଗଣାରେ ପ୍ରଦାନ କରାଯାଉ, ସମସ୍ତ ଚାଷୀଙ୍କ ପୁରାତନ କୃଷି ଋଷ ଛାଡ଼ କରାଯାଉ ଏବଂ ନୂତନ କୃଷି ଋଣ ବିନା ସୁଧରେ ଯୋଗାଇ ଦିଆଯାଉ, ସରକାରୀ ସହାୟତା ୧୫୦୦ ଟଙ୍କା ପାଇନଥିବା ଛତ୍ରପୁର ବ୍ଲକ ଅଂଚଳର ସମସ୍ତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରାଯାଉ, ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ପରିବର୍ତେ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ସଙ୍ଗରୋଧ କେନ୍ଦ୍ରରୁ ଛାଡ଼ ପାଇଥିବା ସମସ୍ତ ପ୍ରବାସୀଙ୍କ ସରକାର ଘୋଷଣା କରିଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ, ନିଜ ଖର୍ଚ୍ଚରେ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀମାନଙ୍କ ଯାତାୟତ ଖର୍ଚ୍ଚ ସରକାର ତୁରନ୍ତ ପ୍ରଦାନ କରନ୍ତୁ । ତିତଲି ବାତ୍ୟାରେ କ୍ଷତି ହୋଇଥିବା ଛତ୍ରପୁର ବ୍ଲକର ଚାଷୀମାନେ ଆଜି ସୁଦ୍ଧା ବୀମା ରାଶି ପାଇନାହାନ୍ତି । ଏହାସହିତ ଛତ୍ରପୁର ବ୍ଲକ ଅଂଚଳର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଖାଉଟି କାର୍ଡ଼ ପ୍ରଦାନ କରାଯାଉ । ଏହି ଦାବିପତ୍ର ପ୍ରଦାନ ବେଳେ ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡି, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡି, ସିକନ୍ଦର ଖାନ୍‌, ଏନ.ଗିରିଜା ପ୍ରସାଦ ରେଡ୍ଡି, ଗୁରୁନାଥ ପ୍ରଧାନ, ଚିଙ୍କାରା ବେହେରା, ପ୍ରଫୁଲ କୁମାର ପାଣିଗ୍ରାହୀ, ସୀମାଂଚଳ ସାହୁ, କାମଦେବ ନାହାକ, ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ