୧୨ ଦିନ ପରେ ଖୋଲିଲା ସୂର୍ଯ୍ୟମନ୍ଦିର ଖାଦ୍ୟ ନପାଇ ରାନ୍ଧିକି ଖାଇଲେ ପର୍ଯ୍ୟଟକ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ସାମୁଦ୍ରିକ ଝଡ଼ ଫାନି ପ୍ରକୋପରେ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳ ସମେତ ସୂର୍ଯ୍ୟମନ୍ଦିରରେ ନାହିଁ ନଥିବା କ୍ଷୟକ୍ଷତି ଘଟିଥିଲା । ମାତ୍ର ସ୍ଥାନୀୟ ଏଏସ୍ଆଇ ଅଧିକାରୀ କୌଣସି ପଦକ୍ଷେପ ନନେଇ ଚୁପ୍ଚାପ୍ ବସି ରହି ମନ୍ଦିରକୁ ବନ୍ଦ କରିଦେଇଥିଳେ । ଯାହାଫଳରେ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିନପାରି ଅସନ୍ତୋଷ ହୋଇ ଫେରି ଯାଉଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସୂର୍ଯ୍ୟମନ୍ଦିରର ପୂର୍ବସ୍ଥିତି ଫେରାଇଆଣି ମନ୍ଦିର ଖୋଲିବା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଥିଲେ । ପରେ ଏଏସଆଇ ଡିଜି ଉଷା ଶର୍ମା ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରି ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ସମୟରେ ଫାନି ବାତ୍ୟାର ୧୨ ଦିନ ପରେ ସୂର୍ଯ୍ୟମନ୍ଦିର ଖୋଲାଯାଇଥିଲା । ଫଳରେ ୧୪ଶହ ଦେଶୀୟ ପର୍ଯ୍ୟଟକ ଓ ଜଣେ ବିଦେଶୀ ପର୍ଯ୍ୟଟକ ଧାଡ଼ିରେ ଯାଇ ଟୋକନ କିଣି ସୂର୍ଯ୍ୟମନ୍ଦିର ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଆଜି ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲିସାରି ଖାଇବା ପାଇଁ ଯାଇଥିଲେ । କିନ୍ତୁ କୌଣସିଠାରେ ହୋଟେଲ ଖୋଲିନଥିବାରୁ ଖାଦ୍ୟ ନପାଇ ନିଜେ ରାନ୍ଧି ଖାଉଥିବା ଦେଖିବାକୁ ମିଳିଥିଲା । ଫାନି ଯୋଗୁଁ ବିଦ୍ୟୁତ୍ ସେବା ନଥିବାରୁ ଏପରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି ବୋଲି ହୋଟେଲ ମହାସଂଘ ସଭାପତି ବାଦଲ ଦାସ ସୂଚନା ଦେଇଛନ୍ତି । ତେଣୁ ତୁରନ୍ତ ପ୍ରଶାସନ ପର୍ଯ୍ୟଟନ ସ୍ଥଳି କୋଣାକକୁ ବିଦ୍ୟୁତ୍ ସେବା ଯୋଗାଇ ଦେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।