୧୩ଦିନ ଧରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷରୁ କମ
ନୂଆଦିଲ୍ଲୀ : କ୍ରମାଗତ ଭାବେ ଗତ ୧୩ ଦିନ ଧରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷରୁ କମ ରହିଛି । ରବିବାର ରାତ୍ର ସୁଦ୍ଧା ୯,୩୭,୬୨୫ ମାମଲା ଥିବା ବେଳେ ଶନିବାର ତୁଳନାରେ ଏହା ୭,୩୭୧କମ ରହିଛି । ଗୁରୁବାର ଦିନ ୧୦,୯୭,୯୪୭, ଶୁକ୍ରବାର ଦିନ ୧୧,୩୨,୬୭୫ ଓ ଶନିବାର ଦିନ ୧୧,୪୨,୧୩୧ନମୁନା ପରୀକ୍ଷା କରାଯାଇଛି । ଦେଶର ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟରେ ଆଶାତୀତ ବୃଦ୍ଧି ଘଟିଛି । ଦେଶର ଦିନକୁ ୧୫ଲକ୍ଷ ପର୍ଯ୍ୟନ୍ତ ନମୁନା ପରୀକ୍ଷା ପାଇଁ ସାମର୍ଥ୍ୟ ରହିଛି । ଗତ ୧୦ଦିନ ମଧ୍ୟରେ ଦୈନିକ ୧୧.୫୦ଲକ୍ଷ ନମୁନା ପରୀକ୍ଷା କରାଯାଇପାରିଛି । ଚଳିତ ବର୍ଷ ଜାନୁୟାରୀ ମାସରେ ପ୍ରଥମ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ଏବେ ୭.୮୯କୋଟି ଅତିକ୍ରମ କରିଛି । ସେହିପରି ପଜିଟିଭ ହାର ମଧ୍ୟ ହ୍ରାସ ପାଇଛି । କ୍ରମାଗତ ପଜିଟିଭ ହାର ହ୍ରାସ ପାଉଥିବା ବେଳେ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମଣକୁ ମଧ୍ୟ ସୀମିତ ସ୍ତରରେ ରଖିବା ସମ୍ଭବ ହୋଇପାରିଛି । ଅଧିକ ପରୀକ୍ଷା ଯୋଗୁଁ ତୁରନ୍ତ ଚିହ୍ନଟ, ଏକାନ୍ତବାସ ଓ ଦକ୍ଷ ଉପଚାରର ବ୍ୟବସ୍ଥା କରାଯାଇପାରୁଛି । ଏଥିପାଇଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି । ଦେଶରେ ଦୈନିକ ଅଧିଆରୁ ଅଧିକ ଆରୋଗ୍ୟ ଲାଭ ଧାରା ଅବ୍ୟାହତ ରହିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୮୨,୨୬୦ଜଣ ସୁସ୍ଥ ହୋଇଛନ୍ତି । ସେ ତୁଳନାରେ ୭୫,୮୨୯ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଦୃଷ୍ଟିରୁ ଦେଖିଲେ ନିକଟରେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ତୁଳନାରେ ଅଧିକ ରହିଛି । ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ଆଜି ୫୫ଲକ୍ଷ (୫୫,୦୯,୯୬୬) ଅତିକ୍ରମ କରିଛି । ଏହାଫଳରେ ବର୍ତ୍ତମାନ ଜାତୀୟ ସୁସ୍ଥତା ହାର ୮୪.୧୩ ପ୍ରତିଶତରେ ପହଞ୍ଚିଛି । ନୂତନ ଭାବେ ସୁସ୍ଥ ହୋଇଥିବା ଶତକଡା ୭୫.୪୪ ଭାଗ ସଂକ୍ରମିତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ସକ୍ରିୟ ମାମଲାରେ ସବୁଠାରୁ ଅଧିକ ରାଜ୍ୟ ମହାରାଷ୍ଟ୍ରରୁ ସର୍ବାଧିକ ନୂତନ ଭାବେ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି । ଦେଶର 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୭.୧୧ ପ୍ରତିଶତ ସକ୍ରିୟ ମାମଲା ରହିଛି । ଅଦ୍ୟାବଧି ପଜିଟିଭ ସଂଖ୍ୟା ୧୪.୩୨ ପ୍ରତିଶତକୁ ଖସି ଆସିଛି । ଶତକଡା ୭୮ଭାଗ ନୂତନ ମାମଲା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୪,୦୦୦ ଥିବା ବେଳେ କର୍ଣ୍ଣାଟକରୁ ୯,୮୮୬ ଓ କେରଳରୁ ୭,୮୩୪ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ହଜାରରୁ କମ (୯୪୦) ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୮୦.୫୩ ଶତକଡା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି । ଗତକାଲି ମହାରାଷ୍ଟ୍ରରୁ ୨୯.୫୭ ପ୍ରତିଶତ ଅର୍ଥାତ ୨୭୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରନାଟକରୁ ୧୦୦ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରର ମୃତ୍ୟୁସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି ।