୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ପୁରୀ ଜିଲ୍ଲା କୋଣାର୍କ ର ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ପାଞ୍ଚଦିନ ବ୍ୟାପୀ ବାଲୁକା ଶିଳ୍ପୀ ଙ୍କ ଦ୍ୱାରା ବାଲୁକା ରାଶିରେ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଚମତ୍କାର ବାଲୁକା କଳା ହଜାର ହଜାର ଦେଶ ବିଦେଶର ଦର୍ଶକଙ୍କୁ ବେଶ ଆକର୍ଷିତ କରିବା ସହ ଏହି ଉତ୍ସବ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି ।ପାଞ୍ଚଦିନ ବ୍ୟାପୀ ଦେଶ ବିଦେଶର ବାଲୁକା ଶିଳ୍ପୀମାନେ ବାଲୁକା ରାଶିରେ ଆମ ପ୍ରାଚୀନ ସଂସ୍କୃତି ,ଐତିହ୍ୟ ,ପରମ୍ପରା , ଜଳବାୟୁ ପରିବର୍ତ୍ତନ , ପରିବେଶ ସୁରକ୍ଷା ଆଦି ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ବାର୍ତ୍ତା ପ୍ରଦାନ କରିବା ସହ ଶେଷ ଦିନରେ ମନ୍ଦିର ମାଳିନୀ ଆମ ରାଜ୍ୟର ପ୍ରାଚୀନ ମନ୍ଦିର , ଭାରତ ବର୍ଷର ପ୍ରାଚୀନ କୀର୍ତ୍ତିରାଜି ,ବିଶ୍ୱର ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟ ଓ ଆମ ଓଡ଼ିଆ ପରମ୍ପରା ଗୁରୁବାର ମା ଲଷ୍ମୀଙ୍କ ମାଣବସା ର ପ୍ରତିକୃତିକୁ ବାଲୁକା ରାଶିରେ ନିଜର କଳା ଦକ୍ଷତାକୁ ପରିପ୍ରକାଶ କରିଥିଲେ । ସବୁଦିନ ଭଳି ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଶେଷ ଦିନରେ ଦେଶବିଦେଶର ହଜାର ହଜାର ଦର୍ଶକ ବାଲୁକା କଳାର ମଜ୍ଜା ନେଇଥିଲେ । ଶେଷ ଦିବସରେ ପୂର୍ବତଟ ରେଳବାଇର ଜେନେରାଲ ନ୍ୟାନେଜର ମନୋଜ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ ।ଦୀର୍ଘବର୍ଷ ଧରି ଦେଶରେ ଆୟୋଜିତ ହେଉଥିବା ଏହି ସର୍ବବୃହତ ଓ ଏକ ମାତ୍ର ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଦ୍ୱାରା ବାଲୁକା କଳା ଏବେ ଦେଶ ବିଦେଶରେ ବେଶ ଆଦୃତ ହେଉଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରର ବାଲୁକା ଶିଳ୍ପୀଙ୍କ ପାଇଁ ଏହି ଉତ୍ସବ ଏକ ସୁଯୋଗ ସୃଷ୍ଟି କରିଛି ।


