୧୩ ଦେଶର ନେତୃତ୍ୱ ନେବ ଭାରତ
ଜାତିସଂଘ : ବିଭିନ୍ନ ସମୟରେ କରୋନା ଭୂତାଣୁ ବିଷୟରେ ପ୍ରଚାରିତ ହେଉଥିବା ମିଥ୍ୟା ଖବରକୁ ପ୍ରତିବାଦ କରିବା ସହ ଉପଲବ୍ଧ ତଥ୍ୟ ଭିତ୍ତିକ ସତ୍ୟକୁ ପ୍ରତିପାଦନ କରିବା ପାଇଁ ଜାତିସଂଘ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି । ବିଶ୍ୱର ୧୩୦ଟିରୁ ଅଧିକ ଦେଶ ଏପରି ମିଥ୍ୟା ସୂଚନା ବିରୋଧରେ ସ୍ୱର ଉଠାଇଥିବା ବେଳେ ଜାତିସଂଘର ଏହି ଅଭିଯାନରେ ଭାରତ ନେତୃତ୍ୱର ୧୩ଟି ଦେଶ ସାମିଲ ହୋଇଛନ୍ତି । ଅନ୍ୟ ଦେଶଗୁଡ଼ିକ ହେଲା ଅଷ୍ଟ୍ରେଲିଆ, ଚିଲି, ଫ୍ରାନ୍ସ, ଜର୍ଜିଆ, ଇଣ୍ଡୋନେସିଆ, ଲାଟିଭିଆ, ଲେବାନନ, ମରିସସ, ମେକ୍ସିକୋ, ନରୱେ, ସେନେଗାଲ ଓ ଦକ୍ଷିଣ ଆଫ୍ରିକା । ବିଶେଷ କରି ମହାମାରୀ କୋଭିଡ-୧୯ର ଉପଦ୍ରବକୁ ପ୍ରତିହତ କରିବା ସହ କରୋନା ଭୂତାଣୁ ସଂକ୍ରାନ୍ତ ମିଥ୍ୟା ସୂଚନା ସଂକ୍ରମଣକୁ ପ୍ରତିରୋଧ କରିବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ।
ସୂଚନାଥାଉକି, କରୋନା ଭୂତାଣୁର କରାଳ ଛାୟା ବିଶ୍ୱବ୍ୟାପୀ ମାଡ଼ି ଚାଲିଥିବା ବେଳେ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଭୁଲ ଉପଦେଶ, ଘୃଣ୍ୟ ଭାଷଣ ଏବଂ ନାନାଦି ଷଡଯନ୍ତ୍ର ହିଁ ଲୋକଙ୍କୁ ବେଶୀ ଆତଙ୍କିତ କରିପକାଉଛି । ମହାମାରୀ କୋଭିଡ-୧୯ ଯେତିକି କ୍ଷତିକାରକ ସାବ୍ୟସ୍ତ ହୋଇଛି, ଏପରି ମିଥ୍ୟା ସୂଚନା ହିଁ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାରେ ତାଠାରୁ ଅଧିକ କ୍ଷତି ପହଞ୍ଚାଉଛି । କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଉପଦ୍ରବ ସ୍ୱରୂପ ଏଭଳି ମିଛ ଖବର, ଉଦେ୍ଧଶ୍ୟ ମୂଳକ ଭାବେ ପ୍ରସ୍ତୁତ ଭିଡ଼ିଓ ଆଦି କାଳ୍ପନିକ ଦସ୍ତାବିଜ ସାମ୍ପ୍ରଦାୟିକ ସମ୍ପ୍ରୀତି ବଜାୟ ରଖିବାରେ ମଧ୍ୟ ଅନ୍ତରାୟ ହୋଇଛି । ତେଣୁ ଏଭଳି ଭୁଲ ସୂଚନା ପାଇ ମାନସିକ ନିର୍ଯାତନା ଭୋଗୁଥିବା ନାଗରିକମାନଙ୍କ ପାଖରେ ତଥ୍ୟଭିତ୍ତିକ ଠିକ୍ ଖବର ପହଞ୍ଚାଇ ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।