୧୩ ଶୁଆଙ୍କୁ କୋର୍ଟରେ ହାଜର କଲା ପୁଲିସ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ମାମଲାର ଅଭିଯୁକ୍ତ କିମ୍ବା ପୀଡ଼ିତ ଅଥବା ସାକ୍ଷୀମାନଙ୍କୁ କୋର୍ଟରେ ହାଜର କରାଯାଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଦିଲ୍ଲୀର ଏକ କୋର୍ଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସବୁଠୁ ଭିନ୍ନ ଥିଲା । ପୁଲିସ ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା । ପରେ ସେମାନଙ୍କୁ ବିଚାରପତିଙ୍କ ସମ୍ମୁଖକୁ ନିଆଯାଇଥିଲା ପ୍ରକୃତରେ କଥାଟି ହେଉଛି ଜଣେ ଉଜବେକିସ୍ତାନର ନାଗରିକଙ୍କ ପାଇଁ ଶୁଆମାନଙ୍କୁ କୋର୍ଟକୁ ଆଣିବାକୁ ପଡ଼ିଥିଲା । ରଖମତ ଜୋନୋବ ନାମକ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ ଯବାନମାନେ ଧରିଥିଲେ । ବ୍ୟକ୍ତି ଜଣଙ୍କ ଭିନ୍ନ ଭିନ୍ନ ଡବାରେ ଶୁଆମାନଙ୍କୁ ରଖି ନିଜ ଦେଶକୁ ଚାଲାଣ କରୁଥିଲେ । ଡବାଗୁଡ଼ିକ ଯାଞ୍ଚବେଳେ ଜୀବନ୍ତ ଶୁଆଙ୍କୁ ଉଦ୍ଧାର କରାଯାଇଥିଲା । ଆଇନ ଅନୁସାରେ, କୌଣସି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହିତ ତାଙ୍କଠାରୁ ଜବତ ସାମଗ୍ରୀ ଅଥବା କୌଣସି ସମ୍ପତ୍ତିକୁ କୋର୍ଟରେ ହାଜର କରାଇବା ଜରୁରୀ । ଏଥିପାଇଁ ଏହି ଶୁଆମାନଙ୍କୁ କୋର୍ଟରେ ହାଜର କରିବାକୁ ପଡ଼ିଥିଲା । ପରେ କୋର୍ଟଙ୍କ ଆଦେଶ ପରେ ଶୁଆମାନଙ୍କ ଦେଖାରଖା ପାଇଁ ଓଖଲା ପକ୍ଷୀ ଅଭୟାରଣ୍ୟର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ କଷ୍ଟମ ବିଭାଗ ଅଭିଯୁକ୍ତ ବିରୋଧରେ ବନ୍ୟଜନ୍ତୁ ଆଇନ ଅନୁସାରେ ମାମଲା ରୁଜୁ କରିଛି । ଭାରତରୁ ବାହାରକୁ ଶୁଆ ଚାଲାଣ ଉପରେ କଟକଣା ରହିଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋର୍ଟ ଅଭିଯୁକ୍ତଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣଙ୍କ ଶୁଆଗୁଡ଼ିକୁ ପୁରୁଣା ଦିଲ୍ଲୀ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କଠାରୁ କିଣିଥିବା କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ