୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମେ ସମସ୍ତେ ଭାରତୀୟ, ସମସ୍ତେ ସମାନ । ବିବିଧତା ସହ ଆମେ ସଭିଏଁ ଯୋଡ଼ି ହୋଇ ରହିଛେ । ବିବିଧତା ଆମକୁ ଏକତା ଦେଇଛି । ଶାନ୍ତି, ବନ୍ଧୁତା ଓ ସମାନତା ସ୍ଥାପନ ପାଇଁ ପ୍ରତିଟି ସ୍ତରରେ ଉଦ୍ୟମ ରହିବା ନିତାନ୍ତ ଜରୁରୀ । ତତ୍ ସହିତ ଯୁବକ, ଯୁବତୀ ଓ ମହିଳାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ମନରେ ଦୃଢ ମନୋବଳ ଓ ପ୍ରୟାସ ଜାରି ରହିବା ଉଚିତ୍ ବୋଲି ୧୪ତମ ଆଦିବାସୀ ଯୁବ ବିନିମୟ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା, ଖୋର୍ଦ୍ଧା ଶାଖା ଏବଂ ଗୃହ ମନ୍ତ୍ରଣାଳୟର ସହଯୋଗ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କିଟ୍ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଚେସ୍ ହଲ୍ଠାରେ ଆନୁଷ୍ଠାନିକ ରୂପେ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏନ୍.ସି.ଏସ୍.ସି.ଡ଼ି.ଏର ପୂର୍ବତନ ନିର୍ଦ୍ଦେଶକ ରାମ କିଶୋର ଶର୍ମା, ସମ୍ମାନିତ ଅତିଥି ରୂପେ ଦ ଲିଙ୍କ ଆଇ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋକ କୁମାର ସାହୁ, ନେହେରୁ ଯୁବକେନ୍ଦ୍ର ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ହନି ସିହ୍ନା, ସହ ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂ, ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର, ନୋନି ବାଇଓଟେକ୍ ଲିଃ ଡ. ସାଇଖ ଫଜ୍ଲ ଅଲି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ୨ଶହ ଆଦିବାସୀ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିବାର ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।