୧୪୦ ଲିଟର ଦେଶୀ ମଦ ଜବତ; ୩ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକ ଗଣିଜାଙ୍ଗ, କେନ୍ଦୁଆପଦା ଓ ଅଳଉତି ଆଦି ସ୍ଥାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୪୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପ୍ରକାଶ ଯେ, ଜିଲା ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ଗୌତମ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଅବକାରୀ ବିଭାଗର ଏସ.ଆଇ.ସ୍ପନ୍ଦନ କୁମାର ମହାନ୍ତି, ସୁଶାନ୍ତ କୁମାର ବଳ, ଏ.ଏସ.ଆଇ ଭବେଶ ଦାସ, ଦୀପକ କୁମାର ରାଉତ, କନେଷ୍ଟବଳ ପ୍ରଦୀପ କୁମାର ମଲ୍ଲିକ, ଖଗେଶ୍ୱର ସେଠୀ, ଶିବ ପ୍ରସାଦ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ସହାୟତାରେ ୩ଟି ସ୍ଥାନରେ ଚଢାଉ କରିଥିଲେ । ଚଢାଉ ବେଳେ ଅଳଉତି ଗ୍ରାମର ହରିହର ଜେନା, କେନ୍ଦୁଆପଦା ଗ୍ରାମର କୁନା ମାରାଣ୍ଡି, ଗଣିଜାଙ୍ଗ ଗ୍ରାମର ରତ୍ନାକର ସେଠୀଙ୍କ ଠାରୁ ମୋଟ ୧୪୦ ଲିଟର ଦେଶୀ ମହୁଲି ମଦ ଜବତ ହୋଇଥିଲା । ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଏନେଇ ୩ଟି ମାମଲା ରୁଜ୍ଜୁ ହୋଇଛି । ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ଚଢାଉ ହୋଇଥିଲା । ଆଗକୁ ଏହି ଚଢାଉ ଜାରି ରହିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାଯାଇଛି ।


