୧୪୩ ବର୍ଷରେ ପହଞ୍ଚିଲା ବଡରମ୍ପାସ କରଣ ସାହି ଗଣେଷ ପୂଜା

ିହାଟଡିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବଡରମ୍ପାସ କରଣ ସାହିରେ ଥିବା ଗଣେଷପୂଜା ମଣ୍ଡପ ୧୪୩ ବର୍ଷରେ ପଦାର୍ପଣ କରିଛି । ପାଖାପାଖି ଦେଢଶହ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ଏହି ପୂଜା ମଣ୍ଡପରେ ପ୍ରତିବର୍ଷ ଗଜାନନଙ୍କ ପୂଜା ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ ଆୟୋଜନ କରାଯାଉଥିବା ଗଣେଷ ପୂଜା ଦୀର୍ଘଦିନ ଧରି ଶାନ୍ତି ଶୃଙ୍ଖଳାର ସହ ପାଳନ ହୋଇ ଆସୁଥିବା ଘଟଣା ଏ ଅଂଚଳ ପାଇଁ ଏକ ବିରଳ ଘଟଣା । କରଣ ସାହି ବାସିନ୍ଦାଙ୍କ ଉଦ୍ୟମରେ ଏ ବର୍ଷ ମଧ୍ୟ ଏହି ଗଣପତିଙ୍କର ପୂଜା ଉତ୍ସବ ୭ଦିନ ଧରି ପାଳନ କରାଯିବ ବୋଲି ଆୟୋଜନ ମାନଙ୍କ ଠାରୁ ପ୍ରକାଶ । ତେବେ ଏଠାରେ ପୂଜାବିଦ୍ଧି ଟିକେ ନିଆରା । ରାତି ୯ଟାରେ କଳସ ସ୍ଥାପନା କରାଯିବା ସହ ରାତି ଗୋଟାଏ ପର୍ଯ୍ୟନ୍ତ ବୈଦିକ ନୀତିରେ ଏହି ପୂଜା କରାଯାଇଥିଲା । ଏ ବର୍ଷର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୫ ଏବଂ ୬ ତାରିଖରେ ଦୁଇଜଣ ପ୍ରଖ୍ୟାତ ମହିଳା ପାଲା ଗାୟୀକା ପାଲା ପରିବେଷଣ କରିବେ ବୋଲି ଜଣାପଡିଛି । ଜଗତସିଂହପୁରର ଗାୟୀକା ପ୍ରଭାତୀ ବେହେରା ଏବଂ ଭଦ୍ରକ ଜିଲ୍ଲାର ସସ୍ମିତା ରାଉତଙ୍କ ଦ୍ୱାରା ଏହି ବାଦୀପାଲା ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି । ଏହି ଉତ୍ସବ ଅବସରରେ କରଣ ସାହିର ଲୋକମାନେ ଶୃଙ୍ଖଳାର ସହ ଏଥିରେ ଭାଗ ନେବା ସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗଜାନନଙ୍କ ଦର୍ଶନର ସମସ୍ତ ସୁବିଧା ଯୋଗାଇ ଦେଇଥାନ୍ତି । ଏହି ପୂଜା ମଣ୍ଡପର ୧୪୩ ବର୍ଷର ଇତିହାସ ପୀଢି ଦରପୀଢି ବାପାଙ୍କ ହାତରୁ ପୁଅ ମାନଙ୍କ ହାତକୁ ହସ୍ତାନ୍ତର କରାଯାଉଥିବା ବେଳେ ଏଥିପାଇଁ ବିଦ୍ଧିବଧ ଭାବେ ଏକ ପୂଜା କମିଟି ମଧ୍ୟ ଗଠନ କରାଯାଇଛି । ପୁରସ୍ତମ ପଟ୍ଟନାୟକ, ରବି ନାରାୟଣ ପଟ୍ଟନାୟକ, ଶରତ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ , ସନ୍ତୋଷ ପଟ୍ଟନାୟକ, ସନାତନ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଶିଶିର ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ଭରତ ପଟ୍ଟନାୟକ,ଶ୍ରୀକାନ୍ତ ପଟ୍ଟନାୟକ ଓ ପର୍ଶୁରାମ ପଟ୍ଟନାୟକ ପ୍ରମୁଖ ପୂଜା କମିଟିର ସଭ୍ୟମାନେ ସମ୍ପୂର୍ଣ୍ଣ ପୂଜା ଉତ୍ସବକୁ ପାଳନ କରିବାର ନେତୃତ୍ୱ ନେଉଥିବା ବେଳେ ସାହିର ପ୍ରେତ୍ୟେକ ପରିବାର ଏଥିରେ ସହଯୋଗ କରିଥାନ୍ତି । ଏହି ଉତ୍ସବ ଅବସରରେ ପ୍ରତିଦିନ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯିବା ସହିତ ଭଜନ କିର୍ତ୍ତନ ଚାଲୁ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ