୧୪ ଟି ୱାର୍ଡ ପାଇଁ ୨୨ ଟି ପୋଲିଂ ପାର୍ଟି : ସମସ୍ତ ପୋଲିଂ ପାର୍ଟିକୁ ଇଭିଏମ ମେସିନ ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆସନ୍ତା ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ପୌର ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘନ ଘନ ବୈଠକ କରି ସମସ୍ତ ପ୍ରକାର ପ୍ରସ୍ତୁତିର ତଦାରଖ କରିଛନ୍ତି । ଛତ୍ରପୁର ପୋଲିସ୍ ପକ୍ଷରୁ ମଧ୍ୟ ସହରର ଗଳି କନ୍ଦିରେ ଚାଲି ଚାଲି ବୁଲି କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ପୋଲିସ୍ ଖବର ଦେବା ପାଇଁ ଫ୍ଲାଗମାର୍ଚ୍ଚ ମାଧ୍ୟମରେ ସଚେତନତା କରାଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ୨୨ ଟି ପୋଲିଙ୍ଗ ପାର୍ଟିକୁ ଇଭିଏମ ମେସିନ୍ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟର ତଦାରଖ କରିଥିଲେ । ପ୍ରତି ପୋଲିଂ ପାର୍ଟି ରେ ଗୋଟାଏ ପ୍ରଜାଇଡିଂ ଅଫିସର, ୪ ଟି ପୋଲିଂ ଅଧିକାରୀ ଓ ଗୋଟାଏ ପୋଲିସ୍ କର୍ମଚାରୀ ରହିଛନ୍ତି । ଆସନ୍ତା କାଲି ସକାଳ ୮ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତି ବୁଥ୍ ରେ ଯେପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ସେଥି ନିମନ୍ତେ ଛତ୍ରପୁର ପୋଲିସ୍ ପକ୍ଷରୁ ବ୍ୟାପକ ପୋଲିସ୍ ମୃତୟନ ହେବ ବୋଲି ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।


