୧୫ବର୍ଷ ନାବାଳିକା କୋଳରେ ୫ ମାସର ଶିଶୁକନ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ଜଣେ ନାବାଳିକା ପ୍ରତାରଣାରେ ମାଆ ହୋଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛି । ୧୫ ବର୍ଷର ନାବାଳିକା ମାଆ ସହ ୫ମାସର ଅସହାୟ ଶିଶୁ ବର୍ତ୍ତମାନ ନ୍ୟାୟ ନ ପାଇ ବହୁ ସମସ୍ୟାରେ ଗତି କରୁଥିବା ସୂଚନା ମିଳୁଛି । ଘଟଣାରୁ ପ୍ରକାଶ କାଶୀନଗର ବ୍ଲକର ଜଣେ ନାବାଳିକା ଜଣେ ଯୁବକ କୋଲାକା ମହିନ୍ଦ୍ରା ଦ୍ୱରା ବିବାହର ପ୍ରଲୋଭନରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା । ଫଳରେ କିଛି ଦିନ ଭିତରେ ସେ ଗର୍ଭବତୀ ହୋଇଥିଲା । ଗତ ମାର୍ଚ୍ଚ ୧୩ ତାରିଖ ଦିନ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ଦେଇଥିଲା ଏକ କନ୍ୟା ସନ୍ତାନକୁ । ବର୍ତ୍ତମାନ ତାର ବୟସ ୧୫ ବର୍ଷ ଓ ସେ ଦଶମ ପାସ୍ ବି କରି ସାରିଛି । ନାବାଳିକାର ପିତା ଏହି ଘଟଣାକୁ ନେଇ ଗତ ମାର୍ଚ୍ଚ ମାସରେ କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ବି ଦିଆଯାଇଥିଲା ପୋଲିସ ପକ୍ଷରୁ । ତେବେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତାଙ୍କ ଝିଅର ଜୀବନ ନଷ୍ଟ କରିଥିବା ଯୁବକ ଏବେ ବି ଫେରାର ଅଛି । ନାବାଳିକାର ବାପା ଅତି ଗରିବ ଅଟନ୍ତି । ପରିବାରରେ ଝିଅ ଓ ନାତୁଣୀକୁ ଛାଡି ଆହୁରି ୭ଜଣ ସଦସ୍ୟ ଥିବାରୁ ପରିବାର ଚଳାଇବା ତାଙ୍କ ପାଇଁ ଦିନକୁ ଦିନ ଅଧିକ କଷ୍ଟସାଧ୍ୟ ହୋଇ ପଡୁଛି । ଆର୍ଥିକ ସମସ୍ୟା ଯୋଗୁଁ ଜନ୍ମିତ ୫ମାସର ଶିଶୁ କନ୍ୟାଟି ଯତ୍ନ ଠିକ୍ ଭାବେ ନିଆ ଯାଇ ପାରୁନି । ଯଦି ତାଙ୍କୁ ଶୀଘ୍ର ପୋଲିସ ତରଫରୁ ନ୍ୟାୟ ଓ ପ୍ରଶାସନ ତରଫରୁ ଆର୍ଥିକ ସାହାଯ୍ୟ ନ ମିଳେ ତେବେ ସେ ସପରିବାର ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯିବା ପାଇଁ ବାଧ୍ୟ ହେବେ ବୋଲି ନାବାଳିକାର ପିତା ଅତ୍ୟନ୍ତ ଦୁଃଖରେ ପ୍ରକାଶ କରିଛନ୍ତି । ଏହି ଘଟଣା ନେଇ କାଶୀନଗର ଥାନା ଆଇଆଇସି ସୁଶାନ୍ତ ସାହୁ କହିଛନ୍ତି, ଘଟଣାରେ ଜଡିତ ଯୁବକ ଜଣକ ଫେରାର ଥିବା ଯୋଗୁଁ ଗିରଫ କରାଯାଇ ପାରି ନାହିଁ । ଅନୁସନ୍ଧାନ ଜାରି ରହିବା ସହ ସମ୍ପୃକ୍ତ ଯୁବକକୁ ଅତି ତୁରନ୍ତ ଗିରଫ କରାଯିବ ।


