୧୫ରୁ ଆନ୍ଦୋଳନକୁ ଓହ୍ଲାଇବେ ଅଣଅନୁଦାନ କର୍ମଚାରୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଣଅନୁଦାନ କର୍ମଚାରୀ ମାନେ ସେମାନଙ୍କ ଦାବୀ ପୂରଣ କରାନଗଲେ ସେପ୍ଟମ୍ବର ୧୫ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଗତ ୨୦୦୦ ମସିହାରୁ ୨୭ ଜଣ ଅଣଶିକ୍ଷା କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର କାର୍ଯ୍ୟ ସମେତ ବିଭିନ୍ନ ସମୟରେ ନିର୍ବାଚନ ଓ ସାମାଜିକ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି । ସଂପୃକ୍ତ କର୍ମଚାରୀ ମାଦେ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ପ୍ରଦତ୍ତ ସ୍ୱଳ୍ପ ବେତନରେ କାର୍ଯ୍ୟ ସମ୍ପାଦନା କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଇତି ମଧ୍ୟରେ ମହାବିଦ୍ୟାଳୟରେ କାର୍ଯ୍ୟରତ ଜଗନ୍ନାଥ ପଣ୍ଡିତ ନାମକ ଜୈନିକ ୪ର୍ଥ ଶ୍ରେଣୀ କର୍ମଚାରୀ ଅନୁଦାନର ବଞ୍ଚିତ ହେବା ସହ ଆର୍ଥୀକ ଅଭାବରୁ ଉପଯୁକ୍ତ ଚିକିତ୍ସା ପାଇନପାରି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।୨୦୧୪ ମସିହା ଜିଓ ଅନୁଯାୟୀ ବାଦ୍ ପଡିଥିବା ସମସ୍ତ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଏବଂ ଗ୍ରାଣ୍ଟ ଇନ୍ ପ୍ରଦାନ ଭଳି ୨ଦଫା ଦାବି ନେଇ ଏକ ସ୍ମାରକ ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶଶସନ ସଚିବ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ, ଆଞ୍ଚଳିକ ନିର୍ଦ୍ଦେଶକ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଧ୍ୟକ୍ଷାଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ୧୪ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ସେପ୍ଟମ୍ବର ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସାବିତ୍ରୀ ନାଇକ, ଅମୂଲ୍ୟ ଦାସ, ଜିତେନ୍ଦ୍ର ପଣ୍ଡା, ଲଳିତ ମହାନ୍ତି, ଅରୁଣ ପାତ୍ର, କପିଳ ନାହାକ, ନନ୍ଦ କିଶୋର ପ୍ରଧାନ ପ୍ରମୁଖ ଦାବି ଜଣାଇଛନ୍ତି ।