୧୫ରୁ ହଟିପାରେ ଲକଡାଉନ
ଭୁବନେଶ୍ୱର : ସାରା ବିଶ୍ବରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କୋଭିଡ୍-୧୯ ଭାଇରସ୍। ଗତ ପ୍ରାୟ ଦୁଇ ମାସରୁ ଅଧିକ ହେବ ଏହି ଭାଇରସ ଯୋଗୁ ସାରା ବିଶ୍ୱ ଥରହର। ୨୦୮ରୁ ଊର୍ଦ୍ଧ୍ବ ଦେଶର ଲୋକେ କରୋନା ଭୂତାଣୁ ପ୍ରଭାବରେ ଅବେଳରେ ଜୀବନ ହାରିଛନ୍ତି। ତଥ୍ୟ ମୁତାବକ ସାରା ବିଶ୍ବରେ ପାଖାପାଖି ୭୦ ହଜାର ଏହି ଭାଇରସ୍ ପ୍ରଭାବରେ ମୃତ୍ୟୁବରଣ କରିଛନ୍ତି। ଏହାର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍ଡାଉନ୍ ଓ ସଟ୍ଡାଉନ ଉପରେ ଗୁରୁତ୍ବ ଦେଇଛନ୍ତି। କେତେକ ଦେଶରେ କର୍ଫ୍ୟୁ ତଥା ଜରୁରୀକାଳୀନ ପରିସ୍ଥିତି ଲାଗୁହୋଇଛି।
ଏ ସବୁ କାରଣରୁ ସାଧାରଣ ଜୀବନ ଯାତ୍ରା ପୂରା ଠପ୍ ହୋଇଯାଇଛି। କରୋନା ଭୂତାଣୁକୁ ନିୟନ୍ତ୍ରଣରେ ରଖିବା ଲାଗି ଘୋଷଣା କରାଯାଇଥିବା ୨୧ ଦିନିଆ ଲକଡାଉନ ନେଇ ସୃଷ୍ଟି ହୋଇଥିବା ସ୍ଥିତି ଦେଶର ଅର୍ଥନୀତି ଲାଗି ବଡ଼ ଧରଣର ବିପଦ ସୃଷ୍ଟି କରିଛି । ଏହାର ପ୍ରଭାବରେ ଭାରତର ଅଭିବୃଦ୍ଧି ହାର ୩୦ ବର୍ଷ ପଛକୁ ଫେରିଯିବା ଭଳି ବିପଦ ସୃଷ୍ଟି ହୋଇଛି । ଭାରତର ଅଭିବୃଦ୍ଧି ହାର ୫.୧ ପ୍ରତିଶତ ବଦଳରେ ୨ ପ୍ରତିଶତ ଭଳି ନିମ୍ନସ୍ତରକୁ ଖସିଯିବା ବେଳେ ରେଟିଂ ଏଜେନ୍ସି ଫିଚ୍ ଆକଳନ କରିଛି । କେବଳ ଭାରତ ନୁହେଁ, ବହୁ ଦେଶର ଅର୍ଥନୀତି ଭୁଶୁଡି ପଡିଛି। ବହୁ ଜନ ସାଧାରଣ ନିଜର ଜୀବିକା ହରାଇଛନ୍ତି। ଆଗକୁ ପୃଥିବୀର ଶକ୍ତିଶାଳୀ ଦେଶଗୁଡିକର ଅବସ୍ଥା କ’ଣ ହେବ ତାହା ଆକଳନ ଏବେଠୁ କରିବା କଷ୍ଟକର ହୋଇଛି। କୋଭିଡି-୧୯ ଭୁତାଣୁ ପ୍ରଭାବ ଯୋଗୁ ଦେଶରେ ଜନ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନତା କର୍ଫ୍ୟୁ ମାର୍ଚ୍ଚ ମାସ ୨୨ ତାରିଖରେ ଡାକ ଦେବା ପରେ ୨୫ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି। ଏହାର ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ସମେତ ସବୁ ପ୍ରକାର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି। ଆସନ୍ତା ଏପ୍ରିଲ ୧୫ ତାରିଖରୁ ପୁଣି ଥରେ ଭାରତରେ ସାଧାରଣ ଜୀବନ ଯାତ୍ରା ଆରମ୍ଭ ହେବା ଅନୁମାନ କରାଯାଉଛି। କେନ୍ଦ୍ର ସରକାର ଏନେଇ ସମୀକ୍ଷା କରିବା ପରେ ଯାତ୍ରୀବାହୀ ରେଳ ସମେତ ବିମାନ ସେବା ଆରମ୍ଭ କରିପାରନ୍ତି। ଏଥି ସହ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି। ଏପରିକି ପରୀକ୍ଷା ସରିଥିବା ପିଲାଙ୍କ ଖାତାର ମୂଲ୍ୟାୟନ ହେବ ବୋଲି ସୂଚନା ମିଳିଛି। ବାକି ରହିଥିବା ପିଲାଙ୍କ ପରୀକ୍ଷା ମଧ୍ୟ ହୋଇପାରେ। ସେହିପରି ପୂର୍ବରୁ ସରକାର ଘୋଷଣା କରିଥିବା ପ୍ରଥମରୁ ନବମ ଶ୍ରେଣୀର ସମସ୍ତ ପିଲାଙ୍କ ପାସ ଘୋଷଣା ନିଷ୍ପତ୍ତିର ମଧ୍ୟ ପରିବର୍ତ୍ତନ କରି ପରୀକ୍ଷା କରାଯାଇପାରେ। ଏପରିକି ସମସ୍ତ କାର୍ଯ୍ୟାଳୟ ପୂର୍ବବର୍ତ୍ତୀ କାର୍ଯ୍ୟ ଆରମ୍ଭ ହୋଇପାରେ। ଏନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଆବଶ୍ୟକ ସ୍ଥଳେ ପରିସ୍ଥିତିକୁ ଦୁଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖାଯିବା ସହ କେତେକ କଟକଣା ଲାଗୁ ରହିବ।


