୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମଣ୍ଡଳ ସ୍ତରୀୟ ପ୍ରତିଯୋଗୀତା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରାଯିବ । ଏହି ଉପଲକ୍ଷେ ମଙ୍ଗଳବାର ନାଉଗାଁ ବ୍ଳକ ଅନ୍ତର୍ଗତ ପଂଚାୟତ ବାଣୀପୀଠ ସଭା ଗୃହରେ ମଣ୍ଡଳସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବ୍ଳକର ବିଭିନ୍ନ ବିଦ୍ୟାଳୟର ପିଲାମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ସେଥିମଧ୍ୟରୁ ବରିଷ୍ଠ କୁଂଜ ବିଭାଗରେ ସୋନାଲି ନାୟକ, ଇଂରାଜୀ ବକ୍ତୃତାରେ ଶକ୍ତି ଦୀପ ମହାନ୍ତି, ଚିତ୍ରାଙ୍କନରେ ପାଇରୀ ପଟ୍ଟନାୟକ, ଓଡିଆ ବକ୍ତୃତାରେ ଓମ ପ୍ରକାଶ ନାୟକ, ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ବିଭାଗରେ କୁଇଜରେ ରାଜଲକ୍ଷ୍ମୀ ମହାରଣା, ଓଡିଆ ବକ୍ତୃତାରେ ସଙ୍ଗୀତା ସେନାପତି, ଇଂରାଜୀ ବକ୍ତୃତାରେ ଲକ୍ଷ୍ମୀ ପ୍ରିୟା ବେହେରା, ଚିତ୍ରାଙ୍କନ ପ୍ରତିଯୋଗୀତାରେ ସ୍ୱପ୍ନା ଦାସ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବାକୁ ମନୋନୀତ ହୋଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅକ୍ଷୟ ବେହେରା, ବ୍ଳକ ସଂଯୋଜକ ବାଇଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ପିଲାମାନଙ୍କୁ ଗାନ୍ଧୀଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିବା ସହିତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଳକର ସମସ୍ତ ଆଂଚଳିକ ସଂଯୋଜକ ମାନେ ପରିଚାଳନା କରିଥିଲେ ।