୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଇଂଚୁଡିଠାରେ ଲବଣ ସତ୍ୟାଗ୍ରହର ପ୍ରତୀକ ପଦଯାତ୍ରା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଲବଣ ତୀର୍ଥ ଇଂଚୁଡିଠାରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀ, ସଂକୀର୍ତନ ମଣ୍ଡଳୀ, ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଲବଣ ସତ୍ୟାଗ୍ରହ ପ୍ରତୀକ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି ଏବଂ ରେମୁଣାର ମାନ୍ୟବର ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ମିଳିତ ଭାବେ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଇଂଚୁଡି ଦୁର୍ଗାମଣ୍ଡପ ଠାରୁ ବାହାରି ଶହୀଦ ସ୍ମୃତି ସ୍ତମ୍ଭ ଠାରେ ଶେଷ ହୋଇଥିଲା । ପରେ ସେଠାରେ ଅତିଥିମାନେ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ମାଲ୍ୟାର୍ପଣ ପରେ ସ୍ଥାନୀୟ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଧାୟକ ଶ୍ରୀ ପରିଡା ଗାନ୍ଧୀଙ୍କ ବାଣୀ ଦର୍ଶନ କାଳଜୟୀ, ଆଜି ବି ତାର ମୂଲ୍ୟବୋଧରେ ଅବକ୍ଷୟ ହୋଇ ନାହିଁ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଏହି ମହାପୁରୁଷଙ୍କ ବିଷୟ ଅଧିକରୁ ଅଧିକ ଜ୍ଞାନ ଆହୋରଣ କରିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା କହିଥିଲେ ଯେ ଗାନ୍ଧୀ କେବଳ ଆମକୁ ସ୍ୱାଧୀନତାର ସ୍ୱାଦ ଚଖାଇ ନାହାଁନ୍ତି, ଆମ ଭିତରେ ଜାତୀୟତାବୋଧ ସୃଷ୍ଟି କରି ସବୁଦିନ ପାଇଁ ଅମର ହୋଇଯାଇଛନ୍ତି ବୋଲି କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଭାସ୍କର ଜେନା, ତୁଣ୍ଡରା ସରପଂଚ ଶ୍ରୀ ଅଜୟ ନାୟକ, ପୂର୍ବତନ ସରପଂଚ ଶ୍ରୀ ଦିଲ୍ଲୀପ ବାରିକ ପ୍ରମୁଖ ଗାନ୍ଧୀଙ୍କ ଜୀବନ, ଆଦର୍ଶ ଓ ବିଚାର ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିବା ବେଳେ ଇଂଚୁଡି ସରପଂଚ ଶ୍ରୀମତୀ ତିଳୋତମା ମାନ୍ନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ମଂଚାସୀନ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ କାର୍ଯ୍ୟକ୍ରମ ଆଭିମୁଖ୍ୟ ସଂପର୍କରେ ଅବଗତ କରିଥିଲେ । ପରେ କାବ୍ୟଶିଳ୍ପୀ ଶ୍ରୀ ସର୍ବେଶ୍ୱର ଦାସ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ବୈଠକ ପୂର୍ବରୁ ସେଠାରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ଜିଲ୍ଲାପାଳ ବୁଲି ଦେଖିବା ସହ ଐତିହାସିକ ତଥ୍ୟାବଳୀ ସଂପର୍କରେ ଅବଗତ ହୋଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି କା ର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ନାୟକ, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।