୧୫୪ ତମ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ଶହୀଦ ପାର୍କ ଏବଂ ଜିଲ୍ଲା ପାଠାଗାରଠାରେ ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାତଃ ୪ଘଟିକା ୩୦ମିନିଟ୍ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା I ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲି ଜିଲ୍ଲା ସ୍କୁଲରୁ ବାହାରି ସହିଦ୍ ପାର୍କ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆସି ପହଞ୍ଚିଥିଲା। ଶହୀଦ ପାର୍କ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ସକାଳ ୮ ଘଟିକା ୩୦ ମିନିଟ୍ ସମୟରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମାନ୍ୟବର ବିଧାୟକ, ବାଲେଶ୍ୱର ଶ୍ରୀଯୁକ୍ତ ସ୍ବରୁପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚହ୍ୱାନ I ଉପସ୍ଥିତ ଅତିଥିମାନେ ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ସେମାନଙ୍କ ସ୍ମୃତିଚାରଣ କରିଥିଲେ। ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ନିଜ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିପାରିଲେ ଦେଶର ବିକାଶ ସାଧିତ ହେବା ସହ ଗାନ୍ଧିଜୀଙ୍କ ପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସବୁ ବାଧାବିଘ୍ନ ସତ୍ୱେ କିଭଳି ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଥିଲେ ଏବଂ ନିଜର ନୈତିକତା ଓ ଆଦର୍ଶ ପାଇଁ ଶାନ୍ତିର ଦୂତ ଭାବେ ପରିଚିତି ଲାଭ କରିପାରିଥିଲେ ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ଆଲୋଚକ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ପ୍ରମୁଖ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ ।ସଭାରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ I ଏହି ଅବସରରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଜିଲ୍ଲା ସ୍କୁଲ, ବାଲେଶ୍ୱରର ଡ଼. ଦେବବ୍ରତ ନାୟକ ଗୀତା ପାଠ କରିଥିବା ବେଳେ ମସ୍କୂର ଅଲ୍ଲୀ ଖାଁ କୋରାନ ପାଠ କରିଥିଲେ । ଖ୍ରୀଷ୍ଟିଆନ ଉଚ୍ଚ ବିଦ୍ୟାଳୟର ସଂଗ୍ରାମ କିଶୋର ସିଂ ବାଇବେଲ ପାଠ କରିଥିଲେ । ନୃତ୍ୟସଙ୍ଗୀତ କଳାମନ୍ଦିରର କଳାକାରବୃନ୍ଦ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ । ପୂର୍ବରୁ ବିଭିନ୍ନ ବର୍ଗରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ଛାତ୍ର-ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।