୧୫ ମିନିଟ୍‌ ପୂର୍ବରୁ ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ବା ଜାଗର ଉପଲକ୍ଷେ ଭୁବନେଶ୍ୱରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇଥିଲା ଏକାମ୍ର କ୍ଷେତ୍ର। ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଥିଲା ଭକ୍ତଙ୍କ ଭିଡ଼। ଗହଳି ଚହଳିରେ ଫାଟି ପଡ଼ୁଥିଲା ସମଗ୍ର ପରିବେଶ। ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ବେଢ଼ା ପରିକ୍ରମା କରାଯାଇଥିଲା। ସେହିପରି ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ ରଖି ଉଜାଗର ରହି ଜାଗର ଜାଳିଥିଲେ। ଏଥି ସହ ସମସ୍ତେ ମହାଦୀପକୁ ଅପେକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଭକ୍ତ ମୌନ ବ୍ରତ ରଖିଥିଲେ। ମହାଦୀପକୁ ପ୍ରତ୍ୟକ୍ଷ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ଅଟକିଯାଇଥିଲା ଲକ୍ଷ ଲକ୍ଷ ଆଖି। ଶେଷରେ ସେଇ ବହୁ ପ୍ରତୀକ୍ଷିତ ସମୟ ଉପନୀତ ହୋଇଥିଲା। ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲେ ହେଁ ଡେରି ହେବ ବୋଲି ଭକ୍ତମାନେ ଏକରକମ ଧରି ନେଇଥିଲେ। ମାତ୍ର ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ଯୋଗୁଁ ୧୫ ମିନିଟ୍‌ ପୂର୍ବରୁ ରାତି ୯ଟା ୪୫ ମିନିଟ୍‌ରେ ମହାଦୀପ ଉଠିଥିଲା। ମହାଦୀପ ଦର୍ଶନ ମାତ୍ରେ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସମଗ୍ର ଏକାମ୍ର କ୍ଷେତ୍ର।
ସେହିପରି ମହାଶିବରାତ୍ରିରେ ମହାଦେବଙ୍କ ପୂଜା ଅର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ରାଜ୍ୟର ସମସ୍ତ ଶୈବପୀଠ। ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର। ମନ୍ଦିରଗୁଡ଼ିକରେ ମହାଦେବଙ୍କ ପୂଜା ପାଇଁ ହୋଇଥିଲା ବିଶେଷ ପ୍ରସ୍ତୁତି। ଜାଗରରେ ମହାଦେବଙ୍କ ଦର୍ଶନ ସହ ନିର୍ଜଳ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ଏଥିପାଇଁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୁବନେଶ୍ୱରରେ, ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ କପିଳାସରେ, ବାବା ଆଖଣ୍ଡଳମଣିଙ୍କ ଆରଡ଼ିରେ, ଲୋକନାଥଙ୍କ ପୁରୀରେ, ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା।
ସେହିପରି ପ୍ରସିଦ୍ଧ ମହାଶିବରାତ୍ରି ଏବଂ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଥିଲା କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଜାଗରଯାତ୍ରା ଅବ୍ୟବହିତ ପୂର୍ବରୁ ଗୁରୁବାରଠାରୁ କପିଳାସକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଦୀର୍ଘ ସମୟ ଧରି ଭକ୍ତ ଧାଡ଼ିରେ ଛିଡ଼ା ହୋଇ ଚନ୍ଦ୍ରଶେଖରଙ୍କ ଦର୍ଶନ କରିଥିଲେ। ଏଠାରେ ରାତି ପହଡ଼ ପୂର୍ବରୁ ହରିହର ଭେଟ ପରମ୍ପରା ରହିଛି। ଭୋର୍ ‌୩ଟାରୁ ୩ଟା ୫୦ ମଧ୍ୟରେ ଠାକୁରଙ୍କ ମହାସ୍ନାନ ସହିତ ନାଗାଭରଣ ବେଶ ଅନୁଷ୍ଠିତ ହେବ। ଭୋର୍ ୪ଟା ୨୦ରେ ବେଢ଼ା ପରିକ୍ରମା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ମହାଶିବରାତ୍ରି ପାଇଁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇଥିଲା। ରାତି ୧ଟା ୩୦ରୁ ୩ଟା ୧୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସୁନାବେଶ ଦର୍ଶନ ଓ ୪ଟା ୩୦ ମିନିଟ୍‌ରୁ ୫ଟା ମଧ୍ୟରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଥିଲା। ବଡ଼ି ଭୋରରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ବ୍ରତଧାରୀ ଭକ୍ତ ଏଠାରେ ଭିଡ଼ ଜମାଇଥିଲେ। ଧୂପ, ଦୀପ ଓ ନୈବେଦ୍ୟ ଦେଇ ଆରାଧନା ସହ ମହାଦୀପ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ଭକ୍ତ। ଏଠି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ବିରାଟ ଆକାରର ଜାଗର ଦୀପ। ସେହିପରି କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଭକ୍ତଙ୍କ ଗହଳିଚହଳି ଭିତରେ ପୂରି ଉଠିଥିଲା। ମନ୍ଦିର ଆଗରେ ଦୀପ ଜାଳି ମହାପ୍ରଭୁଙ୍କୁ ଆଶିଷ ଭିକ୍ଷା କରିଥିଲେ ହଜାର ହଜାର ଭକ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ