୧୫ ସିଏଫ୍ଟି କାଠ ପଟା ଜବତ, ଜଣେ ଗିରଫ
ଦିଗପହଣ୍ଡି : ବେଆଇନ ଭାବେ କାଠ ପଟା ଚାଲାଣ କରୁଥିବା ଅଭିଯୋଗରେ ଦିଗପହଣ୍ଡି ବନବିଭାଗ ପକ୍ଷରୁ ବୁଧବାର ବିଳମ୍ବିତ ରାତ୍ରରେ ସମ୍ପୃକ୍ତ ଚାଲାଣକାରୀ ଗାଡି ଚାଳକଙ୍କ ଗିରଫ କରାଯାଇଛି । ତାଙ୍କ ନିକଟରୁ ଗାଡିରେ ବୋଝେଇ ହୋଇଥିବା ୧୫ ସିଏଫ୍ଟି କାଠ ପଟା ଜବତ କରାଯାଇଛି । ଗିରଫ ଜଣକ ହେଲେ ଡଭାର ଗ୍ରାମର ସୁରେଶ କୁମାର ସାହୁ । ପ୍ରକାଶଯେ, ବୁଧବାର ବିଳମ୍ବିତ ରାତ୍ରୀରେ ସୁରେଶ ଡାଲା ଅଟୋନଂ ଓଡି ୦୭ ଏକ୍ସ ୦୮୮୪ରେ ଡଭାର ଠାରୁ ଦିଗପହଣ୍ଡି ଅଭିମୂଖେ କାଠ ପଟା ସବୁ ନେଉଥିବା ବେଳେ ବନବିଭାଗ ପକ୍ଷରୁ ସୂଚନା ପାଇ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସମସ୍ତ କାଠ ପଟା ବେଆଇନ ଭାବେ ଚାଲାଣ କରାଯାଉଥିବା ସ୍ପଷ୍ଟିକରଣ ହେବା ପରେ ସମସ୍ତ କାଠପଟା ଜବତ କରିବା ସହିତ ଅଭିଯୁକ୍ତ ସୁରେଶଙ୍କୁ ଗିରଫ କରାଯାଇଥିଲା । ଏନେଇ ବନବିଭାଗ ପକ୍ଷରୁ କେସନଂ ୧ା୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଜବତ ହୋଇଥିବା କାଠ ପଟା ଗୁଡିକର ବଜାରି ମୂଲ୍ୟ ୬୦ ହଜାର ଟଙ୍କା ବୋଲି କୁହାଯାଇଛି । ରେଞ୍ଜର ପାଣିଗ୍ରାହୀଙ୍କ ନେର୍ଦ୍ଦେଶାକ୍ରମେ ଉକ୍ତ ଚଢାଉରେ ଫରେଷ୍ଟର ବିଜୟ କୁମାର ମାଝୀ, ଗାର୍ଡ ତରୁଣ ଶବର, ସସ୍ମିତା ପାତ୍ର, ଅଶ୍ୱିନୀ ନାହାକ, ପାରାଷ୍ଟାଫ୍ ସୁଶୀଲ ପଣ୍ଡା, ମୂରାରୀ ପ୍ରସାଦ ରଥ ପ୍ରମୁଖ ବନବିଭାଗ କର୍ମଚାରୀ ସାମିଲ ଥିଲେ ।


