୧୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

– ଉପର ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ କେନାଲର ହେବ ପୁନରୁଦ୍ଧାର
– ଓଏଫଏସ୍ କ୍ୟାଡର୍ ପଦବୀ ୧୦୧୬କୁ ବୃଦ୍ଧି
-ଅଞ୍ଜନ ମାଣିକ ଓପିଏସସି ସଦସ୍ୟ ନିଯୁକ୍ତ
-ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ ସଂଶୋଧିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସଂଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି । ଏହା ବ୍ୟତୀତ ଓଏଫଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଆର୍ôଥକ ପ୍ରଶାସନ ଓ ଉତରଦାୟିତ୍ୱ ଅଧିକ ସୁଦୃଢ଼ ହେବ । ଏହି ପୁନର୍ଗଠନ ପରେ ଓଏଫଏସ କ୍ୟାଡ଼ର ପଦବୀ ସଂଖ୍ୟା ୯୧୨ରୁ ୧୦୧୬କୁ ବୃଦ୍ଧି ପାଇବ । ଓଏଫଏସ ଜୁନିୟର ଗ୍ରେଡରେ ୫୮୧ଟି ପଦବୀ, ଓଏଫଏସ(ଏସଏଜି)ରେ ୭୦ଟି ଓ ଓଏଫଏସ (ଏସଏସ)ରେ ୩୧ଟି ପଦବୀ ରହିବ ।
ସେହିପରି ଓଡ଼ିଶା ଅଗ୍ନିଶମ ସେବା ‘ସି) ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତାବଳୀ-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।ସେହିପରି କ୍ୟାବିନେଟ ବୈଠକରେ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ଅଞ୍ଜନ କୁମାର ମାଣିକଙ୍କ ନିଯୁକ୍ତିକୁ ପିଛିଲା ଭାବେ ଅନୁମୋଦନ, ଓଡ଼ିଶା ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସୀ ରୁଲ-୨୦୨୧, ଓଡ଼ିଶା ଫୁଡ୍ ସେଫ୍ଟି ଲ୍ୟାବ କ୍ୟାଡ଼ର(ନିଯୁକ୍ତି ଓ ସେବା ସର୍ତାବଳୀ) ରୁଲ-୨୦୨୧, ଓଡ଼ିଶା ଜେଲ ସର୍ଭିସ(ଏ ଓ ବି ଗ୍ରେଡ୍‌) ମେଥଡ୍ ରୁଲ, ଓଡ଼ିଶା ଫାୟାର ସର୍ଭିସ (ଏ ଓ ବି ଗ୍ରେଡ୍ ) ମେଥଡ୍ ରୁଲ-୨୦୨୧କୁ ପ୍ରଣୟନକୁ ଅନୁମୋଦନ ସମେତ ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଓଡ଼ିଶା ଲେବର ସର୍ଭିସ ରୁଲ୍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାଶ୍ୱର୍ କେନାଲର ପୁନରୁଦ୍ଧାର ଓ ପୁନଃପ୍ରତିଷ୍ଠା (୦କିମିରୁ ୪୧.୧୦ କିମି ପର୍ଯ୍ୟନ୍ତ) କରାଯିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିପାଇଁ ୧୪୮ କୋଟି ୧୨ ଲକ୍ଷ ୬୫ ହଜାର ୮୯୪ ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ୪୨୪୫୫ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ ।
ଓଡିଶା ଅର୍ଥସେବା (ଓଏଫଏସ୍‌)କ୍ୟାଡର୍ ପୁନର୍ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ଓଡିଶା ଅର୍ଥ ସେବା କ୍ୟାଡର ପଦବୀ ସଂଖ୍ୟା ୯୧୨ରୁ ୧୦୧୬କୁ ବୃଦ୍ଧି ପାଇଛି ।
ପୂର୍ବତନ ନିର୍ବନ୍ଧନ ମହାନିରୀକ୍ଷକ (ଆଇଜି ରେଜିଷ୍ଟ୍ରେସନ୍‌) ଅଞ୍ଜନ କୁମାର ମାଣିକଙ୍କୁ ଓଡିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।
ରାଜ୍ୟର କାରାଗାର ଗୁଡିକରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଖାଲିଥିବା ତୃତୀୟ ଶ୍ରେଣୀକୁ ପଦୋନ୍ନତି ଦିଆଯିବ । ଏସମ୍ପର୍କିତ ଓଡିଶା କାରାଗାର କିମ୍ବା ସୁଧାର ଅମଲା ସେବା (କନିଷ୍ଠ କିରାଣୀ ତଥା ଟାଇପିଷ୍ଟ , କନିଷ୍ଠ ହିସାବ ରକ୍ଷକ ଏବଂ ବରିଷ୍ଠ କିରାଣୀ ତଥା ହିସାବ ରକ୍ଷକ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ) ନିୟମାବଳୀ ୨୦୨୧ କୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି ।
ଓଡିଶା ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ ୨୦୦୯କୁ ସଂଶୋଧନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଲାଇସେନ୍ସ ପାଇଁ ଆବେଦନ ପତ୍ର ଦାଖଲ , ଅନଲାଇନ୍ ମାଧ୍ୟମରେ ଲାଇସେନ୍ସ ଦେୟ ଗ୍ରହଣ ଏବଂ ଇଲେକ୍ଟ୍ରୋନିକ୍ ଡାଟାବେସ୍ ବ୍ୟବହାର କରାଯାଇ ଆବେଦନକାରୀଙ୍କଚରିତ୍ର ଓ ପୂର୍ବ କାର୍ଯ୍ୟକଳାପର ସତ୍ୟାପନ ନିମନ୍ତେ ସହାୟକ ହେବ ।
ଓଡିଶା ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରା (ନିଯୁକ୍ତି ପଦ୍ଧତି ଓ ସେବାର ସର୍ତାବଳୀ)ନିୟମ ୨୦୨୧ କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଭୁବନେଶ୍ୱରସ୍ଥିତ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରାରେ କନଷ୍ଠ ବିଜ୍ଞାନାଗାରା ସହାୟକ ୪ଟି, ବରିଷ୍ଠ ବିଜ୍ଞାନାଗାରା ସହାୟକ ୧ଟି, ସହାୟକ ବିଶ୍ଳେଷଣାତ୍ମକ ରସାୟନବିତ୍ ୪ଟି, ସହାୟକ ମାଇକ୍ରୋବାୟୋଲୋଜିଷ୍ଟ ୩ଟି , ମାଇକ୍ରୋବାୟୋଲୋଜିଷ୍ଟ ୨ଟି ,ଉପ ଖାଦ୍ୟ ବିଶ୍ଳେଷକ ୧ଟି , ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ଖାଦ୍ୟ ବିଶ୍ଳେଷକ ୧ଟି ପଦବୀ ସୃଷ୍ଟି କରାଯାଇଛି । ଓଡିଶା ଅଧସ୍ଥନ କର୍ମଚାରୀ ଚୟନ ଆୟୋଗ ଓ ଓପିଏସସି ଏହି ନିଯୁକ୍ତି ପରିଚାଳନା କରିବେ ।
ଓଡିଶାଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ ସଂଶୋଧନ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଏହାଦ୍ୱାରା ନିଜର ସଦସ୍ୟମାନଙ୍କୁ ନଗଦ ବଦଳରେ ଦ୍ରବ୍ୟ ବା ସେବାର କାରବାର କରୁଥିଲେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ଉପରେ ଟିକସ ଲାଗୁ ହେବ । ପଂଜିକୃତ ବ୍ୟକ୍ତମାନଙ୍କର ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ କାରବାର ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ହେଲେ ହିସାବ ଅଡିକ କରାଇ ଦସ୍ତାବିଜ୍ ଦାଖଲ କରିବାକୁ ପଡିବ ନାହିଁ । ପଂଜିକୃତ ବ୍ୟକ୍ତିମାନେ ସ୍ୱ ପ୍ରମାଣିକୃତ ବ୍ୟବସ୍ଥା ଜରିଆରେ ବାର୍ଷିକ ରିଟର୍ଣ୍ଣର୍ ଦାଖଲ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ