୧୬ରୁ ନୋସି ବିଜିନେସ ପାର୍କରେ ଶିଳ୍ପ-ଗ୍ରାହକ ଏକ୍ସପୋ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ସହଯୋଗରେ ‘ନର୍ଥ ଓଡ଼ିଶା ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍‌’ (ନୋସି) ପକ୍ଷରୁ ୪ ଦିନିଆ ‘ଶିଳ୍ପ ଓ ଗ୍ରାହକ ଏକ୍ସପୋ ଏବଂ ଅଟୋ ଏକ୍ସପୋ’ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଆସନ୍ତା ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବାମପଦା ସ୍ଥିତ ନୋସି ବିଜନେସ ପାକରେ ହେବାକୁ ଯାଉଥିବା ଏହି ‘ଶିଳ୍ପ -ଉପଭୋକ୍ତା ଏକ୍ସପୋ ଏବଂ ଅଟୋ ଏକ୍ସପୋ’ର ରୂପରେଖ ସମ୍ପର୍କରେ କର୍ମକର୍ତ୍ତାମାନେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନୋସିର ସଭାପତି ପି କେ ଡାଭେ, ଆୟୋଜକ କମିଟିର ସହ-ଅଧ୍ୟକ୍ଷ ତଥା ନୋସିର କାର୍ଯ୍ୟକାରିଣୀ ସଦସ୍ୟ ଶିବ କୁମାର ପୋଦାର, ନୋସି ସମ୍ପାଦକ ହରିଶ ପଟେଲ ଓ ଚନ୍ଦ୍ରପ୍ରକାଶ ଭରତିଆ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶିଳ୍ପ-ଗ୍ରାହକ ଏକ୍ସପୋ ଓ ଅଟୋ ଏକ୍ସପୋ ଆୟୋଜନର ଆଭିମୁଖ୍ୟ ଏବଂ ସମ୍ଭାବ୍ୟ ସଫଳତା ସମ୍ପର୍କରେ ପ୍ରକାଶ କରିଥିଲେ । ରାଜ୍ୟ ତଥା ଉତ୍ତର ଓଡିଶାରେ ଉତ୍ପାଦିତ ବିଭିନ୍ନ ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନୀ ଦ୍ରବ୍ୟର ଶିଳ୍ପାନୁଷ୍ଠାନ ଏବଂ ଦେଶର ଖ୍ୟାତନାମା ଯାନବାହାନ ନିର୍ମାତା ଅଂଶଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ‘ମେକ ଇନ ଓଡିଶା କନ୍‌କ୍ଲେଭ’ ଆୟୋଜନ ପରେ ବାଲେଶ୍ୱର ତଥା ଉତ୍ତର ଓଡିଶାର ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଏକ୍ସପୋ ଅନୁଷ୍ଠିତ ହେଉଥିବା ନୋସିର କର୍ମକର୍ତ୍ତାମାନେ କହିଛନ୍ତି । ବାଲେଶ୍ୱରରେ ପ୍ରଥମ ଥର ପାଇଁ ଅଟୋ ଏକ୍ସପୋ ଆୟୋଜିତ ହେଉଥିବା ବେଳେ ବ୍ୟବସାୟ ଓ ଗ୍ରାହକଙ୍କ ଚାହିଦା ପୂରଣରେ ଏହା ବିଶେଷ ସହାୟକ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ନୋସି ବିଜନେସ ପାର୍କର ଶୀତତାପ ନିୟନ୍ତ୍ରିତ ପ୍ରଦର୍ଶନୀ ହଲରେ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ଏକ୍ସପୋ ସାଧାରଣ ଜନତାଙ୍କ ପାଇଁ ଦିନ ୨ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିରେ ଶିଳ୍ପ ସମ୍ମିଳନୀ ସହିତ ବଡ ଧରଣର ବ୍ୟବସାୟିକ କାରବାର ହେବ । ପତ୍ୟେହ ସନ୍ଧ୍ୟାରେ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ । ଏକ୍ସପୋ ଖାଦ୍ୟ ଷ୍ଟଲରେ ସୁଲଭ ମୂଲ୍ୟରେ ସୁସ୍ୱାଦୁ ବ୍ୟଞ୍ଜନର ସୁବିଧା ରହିବ । ଯାନବାହାନ ନିୟନ୍ତ୍ରଣ ତଥା ପାର୍କିଂ ପାଇଁ ଉତ୍ତମ ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ନୋସି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଏହି ଏକ୍ସପୋରେ ୨୦ହଜାରରୁ ଉଦ୍ଦ୍ୱର୍ ଜନସମାଗମ ହେବ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ