୧୭ରୁ ବଜେଟ୍ ଅଧିବେଶନ
ନୂଆ ସରକାରଙ୍କ ବଜେଟ୍ ଅଧିବେଶନ ଆସନ୍ତା ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ୧୯ ତାରିଖରେ ଲୋକସଭା ବାଚସ୍ପତିଙ୍କ ଚୟନ କରାଯିବ । ଲୋକସଭାର ପ୍ରଥମ ଅଧିବେଶନ ଦୀର୍ଘ ୩୯ ଦିନ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି । ସେହିପରି ସରକାରଙ୍କୁ ଏବେ କାମଚଳା ବାଚସ୍ପତିଙ୍କ ନାମ ଚୟନ କରିବାକୁ ପଡିବ । ଯାହା ମୋଦି ସରକାର ବର୍ତ୍ତମାନ ସୁଦ୍ଧା କରିନାହାନ୍ତି । କାମଚଳା ବାଚସ୍ପତି ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୭ ଜଣ ମନ୍ତ୍ରୀଙ୍କ ସହ ଶପଥପାଠ କରିଥିଲେ । ଶୁକ୍ରବାର ସମସ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଥିଲା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨ଠରେ ସଂସଦର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍କର ।
ସେହିପରି ଆସନ୍ତା ଜୁଲାଇ ୫ରେ ଲୋକସଭାରେ କେନ୍ଦ୍ର ବଜେଟ୍ ଆଗତ କରାଯିବ । ଏହାର ପୂର୍ବଦିନ ଅର୍ଥାତ ଜୁଲାଇ ୪ ତାରିଖରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ପ୍ରଥମ ବଜେଟ୍ । ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ ।


