୧୭ରେ ପଥ ବିକ୍ରେତା ସଂଘର ପୌରପାଳିକା ଘେରାଓ

ବାଲେଶ୍ୱର, (ସରୋଜ ପଣ୍ଡା):ଥଇଥାନ ପରିବର୍ତ୍ତେ ପୌର ପ୍ରଶାସନ ପକ୍ଷରୁ ରାସ୍ତାପାଶ୍ୱର୍ରୁ ଉଠାଦୋକାନ ଉଚ୍ଛେଦ କରାଯାଉଥିବା ଅଭିଯୋଗରେ ଆସନ୍ତା ୧୭ ତାରିଖ ଓଡ଼ିଶା ପଥ ବିକ୍ରେତା ସଂଘ ବାଲେଶ୍ୱର ପୌରାଞ୍ଚଳ କମିଟି ପୌରପାଳିକା ଘେରାଓ କରିବ ବୋଲି କର୍ମକର୍ତ୍ତମାନେ ଚେତାବନୀ ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପଥ ବିକ୍ରେତା ସଂଘ ରାଜ୍ୟ ସଭାପତି ତଥା ନ୍ୟାସନାଲ ହକର ଫେଡ଼େରେସନର ଅତିରିକ୍ତ ସାଧାରଣ ସଂପାଦକ ଜୟନ୍ତ ଦାସ, ବାଲେଶ୍ୱର ପଥ ବିକ୍ରେତା ସଂଘ ଉପ ସଭାପତି ଆବିଦ୍ ଖାନ୍‌, ସଂପାଦକ ମୋହିନୀ ମୋହନ ପରିଡ଼ା, ଟିପିରି ସିଂ ପ୍ରମୁଖ ଉପସ୍ଥିତ ରହି ବାଲେଶ୍ୱର ପୌର କର୍ତ୍ତୃପକ୍ଷଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ । ତଥାକଥିତ ବିକାଶ ଓ ସୌନ୍ଦର୍ଯ୍ୟକରଣ ନାମରେ କର୍ତ୍ତୃପକ୍ଷ ଉଠା ଦୋକାନୀଙ୍କୁ ରାସ୍ତା ପାଶ୍ୱର୍ରୁ ଜୋର ଜବରଦସ୍ତ ଉଚ୍ଛେଦ କରିବା କେଉଁ ନ୍ୟାୟରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଉଚ୍ଛେଦ ପଥ ବିକ୍ରେତାଙ୍କୁ ଥଇଥାନ ନକରି ସେହି ସ୍ଥାନକୁ ବାବୁମାନଙ୍କର କାର ପାର୍କିଙ୍ଗ୍‌ରେ ବ୍ୟବହାର କରାଯିବା କାହା ସ୍ୱାର୍ଥରେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ୨୦୧୮ ମସିହାରେ ସହର ରାସ୍ତା ପାଶ୍ୱର୍ରୁ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କ ମଧ୍ୟରୁ ମାତ୍ର ୧୧ଜଣ ଫୁଲ ଚାରା ବିକାଳଙ୍କୁ ପୁଲିସ ଲାଇନ ପାଶ୍ୱର୍ରେ ଥଇଥାନ କରାଯାଇଥିବା ବେଳେ ବାକି କ୍ୟାବିନ ଗୁଡ଼ିକୁ ୮୦ହଜାର ୯୦ ହଜାର ଟଙ୍କାରେ ବିକ୍ରି କରାଯାଇଛି ବୋଲି ସଭାପତି ଶ୍ରୀ ଦାସ ଆରୋପ କରିଛନ୍ତି । ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ୍‌-୨୦୧୪ ଅନୁସାର ବିନା ଭେଣ୍ଡିଙ୍ଗ୍ କମିଟି ନିଷ୍ପତ୍ତିରେ ପଥ ବିକ୍ରେତାଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ । ଅନ୍ୟପକ୍ଷରେ ପଥ ବିକ୍ରେତା ଚିହ୍ନଟ ଓ ପଞ୍ଜୀକରଣ ସାର୍ଟିଫିକେଟ୍ ନଦେଇ ତଥା ଟାଉନ୍ ଭେଣ୍ଡିଙ୍ଗ୍ କମିଟିର ବିନା ନିଷ୍ପତ୍ତିରେ ପ୍ରଶାସନ ବିକ୍ରେତାଙ୍କ ସାମଗ୍ରୀ ଛଡ଼ାଇନେବା, ଲୁଟ୍ କରିବା ଓ ବେଆଇନ୍ ଫାଇନ୍ ଆଦାୟ ଭଳି ଆତଙ୍କରାଜ ଚଳାଉଛନ୍ତି । ଏହା ବିରୋଧରେ ଆସନ୍ତା ୧୭ତାରିଖରେ ପୌରପାଳିକା ଘେରାଓ ପାଇଁ ସଂଘ ନିଷ୍ପତ୍ତି ନେଇଥିବା କର୍ମକର୍ତ୍ତାମାନେ ସମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଏହାକୁ ସଫଳ କରିବା ପାଇଁ ସମସ୍ତ ଉଠାଦୋକାନୀ ଓ ପଥ ବିକ୍ରେତା ସହଯୋଗ କରିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ପରିଡ଼ା, ଅଭିରାମ ବାରିକ, ମନୋଜ କୁମାର ରାଠୋର, ଦୀନବନ୍ଧୁ ସାହୁ, ଦିବାକର ଜେନା, ପ୍ରଶାନ୍ତ ସେଠୀ, ଦେବକୀ ଦତ୍ତ, ମହମ୍ମଦ ମୁସ୍ତାଫା, ସେକ ରିଆଜ୍‌, ପୂର୍ଣ୍ଣଚନ୍ଦ୍ର ଦାସ, ସେକ୍ ଇସ୍ଲାମ୍ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ