୧୭୪ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ୪ଟି ଅଭିଯୋଗର ତତ୍କାଳ ସମାଧାନ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ (ଭା. ପ୍ର.ସେ.) ସୋମବାର ଦିନ ସ୍ଥାନୀୟ ସମ୍ମିଳନୀ କକ୍ଷରେ ହୋଇଥିବା ଜନଶୁଣାଣୀ ବୈଠକରେ ଯୋଗଦାନ କରି ବାରିପଦା ଉପଖଣ୍ଡର ୧୦ଟି ବ୍ଲକ ଏବଂ ସଦରମହକୁମାର ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଜନଶୁଣାଣୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ (ଭା. ପ୍ର.ସେ.), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଓ.ପ୍ର.ସେ.,(ବ), ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ (ଓ.ପ୍ର.ସେ.), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଓ.ପ୍ର.ସେ.,(ବ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା I ଏହି ଶିବିରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ, ଡାଃ ବିଜୟ କୁମାର ଦାଶ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ କୁମାର ଗୋଛାୟତ ଯୋଗଦେବା ସହ ଉପଖଣ୍ଡର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ I ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡ ଅନ୍ତର୍ଗତ ଚାରୋଟି ବ୍ଲକର ସର୍ବମୋଟ ୧୭୪ଟି ଅଭିଯୋଗ ଶୁଣାଣି ହୋଇଥିଲା । ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା।
ଉକ୍ତ ଅଭିଯୋଗ ମଧ୍ୟରୁ ୧୫୨ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ, ୨୨ଗୋଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟରେ ଆଧାରିତ ଥିଲା। ସେଥିମଧ୍ୟରୁ ୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ, ସର୍ବମୋଟ ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଭିନ୍ନକ୍ଷମ ଦମ୍ପତି ଶ୍ରୀ ସରୋଜ କୁଅଁର ବେହେରା ଓ ଶ୍ରୀମତୀ ସବିତା ବେହେରା, କୃଷ୍ଣରାଣୀ କାଳିଆ ଓ ବିକାଶ କୁମାର ଵାସୁରୀ, ରାମଚନ୍ଦ୍ର ମାର୍ଣ୍ଡି ଓ ସଲମା ଟୁଡୁଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦକୁ ୨,୫୦,୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ଭିନ୍ନକ୍ଷମ ସନ୍ତାନ ଗଜପତି ପଣ୍ଡାଙ୍କୁ ୫୦,୦୦୦/- ଟଙ୍କ। ଛାତ୍ର ଵୃତ୍ତି ପ୍ରଦାନ କରାଯାଇଥିଲା ।
ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ ବ୍ୟବସ୍ଥା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ I ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ