୧୭ ଡିସେମ୍ବର ଜନ୍ମଜୟନ୍ତୀ ଉପଲକ୍ଷେ ଓଡ଼ିଆ ଜାତିର ଅନନ୍ୟ ସାରଥୀ : ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ

ଓଡ଼ିଆ ଭାଷା, ଓଡ଼ିଆ ଜାତି ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଖାସ ମାହଲ ଏବଂ ଗଡ଼ଜାତ ଅଞ୍ଚଳରୁ ଯେଉଁ ରାଜାମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମୟୁରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ । ସେ ଥିଲେ ଏକା ଧାରାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି, ଜଣେ ଦକ୍ଷ ପ୍ରଶାସକ ଏବଂ ସୁସାହିତ୍ୟିକ । ଶ୍ରୀ ଦେଓ ୧୭ ଡ଼ିସେମ୍ବର ୧୮୭୦ରେ ମୟୂରଭଞ୍ଜ ଗଡ଼ଜାତରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୫ ଅଗଷ୍ଟ ୧୮୯୨ରେ ମାତ୍ର ୧୨ବର୍ଷରେ ସିଂହାସନ ଆରୋହଣ କରିଥିଲେ । ସେ ମୟୂରଭଞ୍ଜ ଗଡ଼ଜାତର ସର୍ବାଙ୍ଗୀନ ଉନ୍ନତିକଳ୍ପେ ନିଜକୁ ଉତ୍ସର୍ଗ କରିଦେଇଥିଲେ ଏବଂ ପ୍ରଜାମାନଙ୍କର ମଙ୍ଗଳ ନିମନ୍ତେ ଅନେକ କଲ୍ୟାଣକାରୀ କାର୍ଯ୍ୟମାନ ହାତକୁ ନେଇଥିଲେ । ଲୋକସେବାକୁ, ଜାତି ଓ ଭାଷା ପାଇଁ ଗୋପବଂଧୁ ଥିଲେ ତାଙ୍କ ପାଇଁ ବଂଧୁ, ଦାର୍ଶନିକ ଏପଂ ପ୍ରଥପ୍ରଦର୍ଶକ । ତାଙ୍କରି ଆଦର୍ଶରେ ସେ ନିଜକୁ ପରିଚାଳିତ କରୁଥିଲେ । ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନ କ୍ଷେତ୍ରରେ ସେ ଉଲ୍ଲେଖନୀୟ କାର୍ଯ୍ୟମାନ କରିଛନ୍ତି । ତାଙ୍କରି ଉଦ୍ୟମରେ କଟକଠାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ସ୍ଥାପିତ ହୋଇଛି । ତାଙ୍କରି ପ୍ରଚେଷ୍ଟାରେ ରୂପସାଠାରୁ ବାରିପଦା ଯାଏଁ ନାରୋଗଜ ରେଳପଥ ବିସ୍ତାର କରିଛି । କୃଷିର ଉନ୍ନତିକଳ୍ପେ ୬ଲକ୍ଷ ଟଙ୍କା ରାଜକୋଷ ତହବିଲରୁ ଖର୍ଚ୍ଚକରି ହଳଦିଆ ଓ ହଳଦିହ ଠାରେ ଦୁଇଟି ଜଳ ସଂରକ୍ଷଣ ବନ୍ଧ ତିଆରି କରିଛନ୍ତି । ଶିକ୍ଷାକ୍ଷେତ୍ରରେ ତାଙ୍କର ବଳିଷ୍ଠ ପଦକ୍ଷେପ ବେଶ ପ୍ରଶଂସନୀୟ । ପ୍ରାଥମିକ ଶିକ୍ଷାର ଉନ୍ନତିକଳ୍ପେ ସେ ତାଙ୍କ ରାଜ୍ୟରେ ଥିବା ୪୪ବିଦ୍ୟାଳୟ ରୁ ୪୦୦କୁ ବଢ଼ାଇ ଦେଇଥିଲେ । ଓଡ଼ିଶା ଭାଷା ଆନ୍ଦୋଳନର ସେ ଥିଲେ ମୁଖ୍ୟ ପୁରୋଧା । ଉତ୍କଳ ଗୌରବ ମଧୁସୂଦନଙ୍କର ବଳିଷ୍ଠ ନେତୃତ୍ୱରେ ସଂଗଠିତ ଭାଷା ଆନ୍ଦୋଳନରେ ସେ ଯୋଗ ଦେଇଥିଲେ । ଉତ୍କଳ ସମ୍ମିଳନୀ ଯାହାକି ଭାଷାକୁ ଭିତ୍ତିକରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ନିମନ୍ତେ ୩୦/୩୧ ଡ଼ିସେମ୍ବର ୧୯୦୩ରେ ପ୍ରଥମେ ଆହୂତ ହୋଇଥିଲା । ସେ ଥିଲେ ତା’ର ପ୍ରଥମ ସଭାପତି । ଏହି ଭାଷାଅ ।ନ୍ଦୋଳନ କାରଣରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁଏକତ୍ର କରିବା ପାଇଁ ରୟାଲ କମିଶନର ଆଗରେ ସମ୍ମିଳନୀ ତରଫରୁ ୧୯୦୭ରେ ଶ୍ୱେତପତ୍ର ଦାଖଲ କରାଯାଇଥିଲା । ଏହି ଆନ୍ଦୋଳନ କ୍ରମେ ୧୯୧୧ରେ ବଙ୍ଗପ୍ରଦେଶରୁ ବିହାର-ଓଡ଼ିଶାକୁ ମୁକ୍ତ କରି ପ୍ରଥମେ ବିହାର-ଓଡ଼ିଶା ରାଜ୍ୟ ଗଠନ କରାଗଲା । ଏ ସବୁଥିରେ ମଧୁସୂଦନ, ଗୋପବନ୍ଧୁ ଏବଂ ଅନ୍ୟମାନଙ୍କ ସହ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ମହାରାଜା ଶ୍ରମଦେବ । ଏହି ଉଦ୍ୟମ କାରଣରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ଏପ୍ରିଲ ପହିଲା ୧୯୩୬ରେ ଯାହାକି ସଂପୂର୍ଣ୍ଣ ଭାଷାଭିତ୍ତିକ । ଦୁଃଖ ଯେ ସେତେବେଳକୁ ଉପରୋକ୍ତ ତିନି ମୁଖ୍ୟ ଜୀବୀତ ନଥିଲେ ଅଥଚ ଆଶା ଫଳବତୀ ହେଲା । ସେ ମୟୂରଭଞ୍ଜ ଗଡ଼ଜାତରେ ଜନ୍ମ ହୋଇଥିଲେ ସତ୍ୟ ହେଲେ ତାଙ୍କରିି କର୍ମକ୍ଷେତ୍ର ଥିଲା ସଂପୂର୍ଣ୍ଣ ଓଡ଼ିଶା । ଓଡ଼ିଆ ଭାଷା ଓ ଜାତିର ଉନ୍ନତି ଥିଲା ତାଙ୍କର ସ୍ୱପ୍ନ । ସେ ନିଜେ ଜଣେ ସୁସାହିତ୍ୟିକ । ଏଣୁ ସାହିତ୍ୟପ୍ରତି ତାଙ୍କର ଯଥେଷ୍ଟ ଅବଦାନ ଏବଂ ପ୍ରୋତ୍ସାହନ କମ ନଥିଲା । ଆମେ ଜାଣେ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତ ଜ୍ୟୋର୍ତିବିଦ୍ୟାରେ ଭାରତ (ଇଂରେଜ) ସରକାରଙ୍କ ଠାରୁ ମହାମହୋପାଧ୍ୟାୟ ଉପାଧି ୧୮୯୩ସେପ୍ଟେମ୍ବରରେ ପାଇଲେ ଅଥଚ ସେ ଏତେ ଗରିବ ଥିଲେ ଯେ ତାଙ୍କ ‘ସିଦ୍ଧାନ୍ତ ଦର୍ପଣ’ ବହି ବା ପଞ୍ଜିକା ଖଣ୍ଡିକ ଛାପି ପାରୁନଥିଲେ । ବାମଣ୍ଡା ରାଜା ଶ୍ରୀ ସୁଢ଼ଳଦେବ ଏବଂ ତାଙ୍କର ମିଳିତ ସହଯୋଗରେ ସେ ବହିଟି ୧୮୯୯ରେ ଛପା ହେଲା । ଏମିତି କହି ବସିଲେ ଅନେକ ତାଙ୍କର ବଦାନ୍ୟତା ଗୁଣ । ଏମିତି ଜଣେ ବ୍ୟକ୍ତିତ୍ୱ ଆମପାଇଁ ଏ ଯୁଗରେ ନୁହେଁ ଆଗାମୀ ଯୁଗରେ ବି ବିରଳ । ଦୁଃଖ ଯେ ଏପରି ଜଣେ ମହାନ ବ୍ୟକ୍ତିଙ୍କର ଅନ୍ତଘଟିଲା ୨୨ ଫେବୃୟାରୀ ୧୯୧୨ ମସିହାରେ ମାତ୍ର ୪୧ବର୍ଷରେ, କେତେ କମ୍ ବୟସରେ । ତେବେ ସେ ଯେଉଁଠି ଥାଆନ୍ତୁ; ଏଇଠୁ ଆମେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ । ସ୍ମୃତିରେ ରଖିଛୁ ତାଙ୍କୁ ।

ବିପିନ ବିହାରୀ ମହାନ୍ତି
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ