୧୭ ପର୍ଯ୍ୟନ୍ତ ଜେଲରେ ରହିବେ ଚିଦମ୍ବରମ, ଘର ଖାଦ୍ୟ ଖାଇପାରିବେ ଜାମିନ ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ ୪ ସପ୍ତାହ ଧରି ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କ ବିଚାରବିଭାଗୀୟ ହାଜତ ମିଆଦ ପୁଣିଥରେ ବଢ଼ାଇ ଦିଆଯାଇଛି । ଦିଲ୍ଲୀ ହାଇକୋର୍ଟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚିଦମ୍ବରମଙ୍କ ହାଜତ ମିଆଦ ବୃଦ୍ଧି କରିବାପରେ ସେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ତିହାର ଜେଲ୍ରେ ରହିବେ । ତେବେ ଜେଲରେ ରହିବା ସମୟ ମଧ୍ୟରେ ଚିଦମ୍ବରମ ଘରୋଇ ଖାଦ୍ୟ ଖାଇପାରିବେ । କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଚିଦମ୍ବରମ ଦିନରେ ଥରେ ଘର ଖାଦ୍ୟ ଖାଇପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ଚିଦମ୍ବରମ ଆଜି ଦିଲ୍ଲୀ କୋର୍ଟରେ ହାଜର ହେବା ପୂର୍ବରୁ ଜାମିନ ଆବେଦନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଚିଦମ୍ବରମ ତାଙ୍କ ଜାମିନ ଆବେଦନର ତୁରନ୍ତ ଶୁଣାଣୀ ପାଇଁ ଅନୁରୋଧ କରିଛନ୍ତି । ସୋମବାର ଠାରୁ ଦଶହରା ଛୁଟି ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଚିଦମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ବରିଷ୍ଠ ଓକିଲ କପିଲ ଶିବଲ ଖଣ୍ଡପୀଠଙ୍କୁ କହିଥିଲେ । । ଚିଦମ୍ବରମ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, ଜେଲରେ ତାଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି ସେହି ଖାଦ୍ୟ ସହ ସେ ଅଭ୍ୟସ୍ତ ନୁହନ୍ତି । ସେଥିଲାଗି ସେ ଖାଦ୍ୟ ଠିକରେ ଖାଇ ପାରୁନଥିବାରୁ ତାଙ୍କର ୪ କେଜି ଓଜନ କମିଗଲାଣି । ଉଲ୍ଲେଖଯୋଗ୍ୟ ଗତ ସେପ୍ଟେମ୍ବର ୫ ତାରିଖରୁ ଚିଦମ୍ବରମ ତିହାର ଜେଲରେ ଅଛନ୍ତି ।


