୧୭ ମାସ ଦେଶ ମାତୃକାର ସେବା କରିବା ପରେ ଜନ୍ମଭୂମିର ସେବା କରିବା ଲକ୍ଷ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପଂଚାୟତରେ ବିଭିନ୍ନ ପଦପଦବୀ ପାଇଁ ଥିବା ପ୍ରାର୍ଥୀ ମାନେ ନିଜ ନିଜ ପ୍ରଚାର କାର୍ଯ୍ୟକୁ ଆରମ୍ଭ କରିସାରିଲେଣି । ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଂଚାୟତରେ ସରପଂଚ ଭାବେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ୧୭ ବର୍ଷ ଦେଶ ମାତୃକାର ସେବା କରିସାରିବା ପରେ ନିଜ ଜନ୍ମଭୂମି ସୁନ୍ଦରପୁର ପଂଚାୟତର ବିକାଶ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ଆସି ଘରେ ଘରେ ବିକାଶର ବାର୍ତ୍ତା ବାଣ୍ଟୁଛନ୍ତି ସରପଂଚ ପ୍ରାର୍ଥୀ ଅର୍ଜୁନ ବେହେରା । ସୁନ୍ଦରପୁର ପଂଚାୟତର ସାହି ସାହି ଗଳି କନ୍ଦିରେ ବୁଲି ଲୋକଙ୍କ ସହିତ ମିଶି ନିଜ ଚିହ୍ନ ଖୋଲା ବହି ଚିହ୍ନରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବା ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତାଙ୍କ ସହିତ ତାଙ୍କ କିଛି ସମର୍ଥକଙ୍କୁ ନେଇ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁଯାୟୀ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସାଙ୍ଗରେ ଘର ଘର ବୁଲି ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଚେଷ୍ଠା କରୁଛନ୍ତି । ଆଗାମୀ ଦିନରେ ପଂଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯଥା ଶିକ୍ଷା, ରାସ୍ତାଘାଟ, ପାଣି ଭଳି କାର୍ଯ୍ୟରେ ନିଜକୁ ସାମିଲ କରି ପଂଚାୟତବାସୀଙ୍କ ସୁଖଦୁଃଖରେ ଠିଆ ହେବେ ବୋଲି ଅର୍ଜୁନ କହିଛନ୍ତି ।