୧୮ କରୋନା ସଂକ୍ରମିତ ଚିହ୍ନଟ ସମସ୍ତ ଆକ୍ରାନ୍ତ ପ୍ରବାସୀ, ୨ଜଣ ଶିଶୁ କନ୍ୟା ଓ ଜଣେ ମହିଳା
ନାଉଗାଁ, (ଓ୍ବାଇଏନ୍ଏସ୍) : ବୁଧବାର ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହି ୧୮ଜଣଙ୍କୁ ମିଶାଇ ଉକ୍ତ ବ୍ଳକର ଆକ୍ରାନ୍ତଙ୍କ ସଂଖ୍ୟା ୫୧ରେ ପହଂଚିଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ୧୮ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ କନ୍ୟା ଅଛନ୍ତି । ୨ ଜଣ ଶିଶୁଙ୍କ ମଧ୍ୟରୁ ଜଣଙ୍କର ବୟସ ୬ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ଦେଢ ବର୍ଷ ବୋଲି ଜଣାଯାଇଛି । ଏମାନେ ଗୋଟିଏ ପରିବାରର ଅଟନ୍ତି । ଚିହ୍ନଟ ହୋଇଥିବା ୧୮ଜଣ ତିନୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଆସୁଥିଲେ । ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଳଦାରୀ ପଂଚାୟତ ଏରେଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଜଣାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଷକଣା ପଂଚାୟତରୁ ୩, କୋରୁଅ ପଂଚାୟତରୁ ୨, ନାଉଗାଁ ପଂଚାୟତରୁ ୮, ଜାମୁଗାଁ ପଂଚାୟତରୁ ୧, ବଛାଳୋ ପଂଚାୟତରୁ ୧ ରହିଥିବା ଜଣାଯାଇଛି । ଏମାନେ ସମସ୍ତେ ମେ ମାସ ୨୭ ତାରିଖରେ ସୁରଟରୁ ଆସିଥିଲେ । ଏହି ୧୫ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା, ମା ଓ ୨ ଶିଶୁ ଥିବା ଜଣାଯାଇଛି । ଏହି କେନ୍ଦ୍ରରୁ ଜୁନ ୭ ତାରିଖରେ ୪୬ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୧୫ ଜଣଙ୍କର କରୋନା ସଂକ୍ରମିତ ହୋଇଥିବା ସୂଚନା ପ୍ରଦାନ କରାଯାଇଛି । ସେହିପରି ଡେରିକି ପଂଚାୟତ ଗଂଗଦାସ୍ଥିତ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ଜଣ ପୁରୁଷ ହୋଇଥିବା ବେଳେ ସେମାନେ ମେ ୨୬ ତାରିଖରେ ମହାରାଷ୍ଟ୍ରରୁ ଫେରିଥିଲେ । ୨ ଜଣଙ୍କ ମଧ୍ୟରେ ଜଣେ ଡେରିକି ପଂଚାୟତର ହୋଇଥିବା ବେଳେ ଅନ୍ୟ ଜଣେ କୋରୁଅ ପଂଚାୟତର ବୋଲି ଜଣାଯାଇଛି । ଜୁନ ୭ ତାରିଖରେ ଉକ୍ତ କେନ୍ଦ୍ରରୁ ୧୯ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ରୋହିଆ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟୂ କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ ମେ ୩୧ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ । ଜୁନ ୭ ତାରିଖରେ ଉକ୍ତ କେନ୍ଦ୍ରରୁ ୬ ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ସେଥିମଧ୍ୟରୁ ଜଣଙ୍କର କରୋନା ସଂକ୍ରମିତ ଥିବା ଜଣାଯାଇଛି । ସେ କୋରୁଅ ପଂଚାୟତ ବୋଲି ଜଣାଯାଇଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି, ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ପ୍ରମୁଖ ପହଂଚି କରୋନା ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରାଇଥିଲେ ।