୧୯ରୁ ଆନ୍ଦୋଳନକୁ ଓହ୍ଲାଇବ ‘ଟିପିଏନଓଡିଏଲ ଶ୍ରମିକ-କର୍ମଚାରୀ ଏକତା ମଞ୍ଚ’
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ବିଦ୍ୟୁତ ବିତରଣ ସଂସ୍ଥା ‘ଟିପିଏନଓଡିଏଲ’ ଅଧୀନରେ କାର୍ଯ୍ୟରତ ୫ଟି ଜିଲାର କର୍ମଚାରୀ ଆସନ୍ତା ୧୯ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନେସ୍କୋ କୋଅର୍ଡ଼ିନେସନ କମିଟି ପକ୍ଷରୁ ପ୍ରେସ ବିବୃତ୍ତିରେ ଘୋଷଣା କରାଯାଇଛି । ଗତ ଜାନୁଆରୀ ୧୦ ତାରିଖରେ ୟୁନିୟନର ପ୍ରତିନିଧିଙ୍କ ସହ ‘ଟିପିଏନଓଡିଏଲ’କର୍ତ୍ତୃପକ୍ଷଙ୍କ ଦ୍ୱିପାକ୍ଷିକ ଆଲୋଚନା ବିଫଳ ହେବା ପରେ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଶେଷ କରି ବୈଷୟିକ ଓ ଅଣବୈଷୟିକ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ଗ୍ରାହକ ଅନୁପାତରେ ଶ୍ରମିକ ନିଯୁକ୍ତି, ବେଆଇନ ଭାବେ ସାମୂହିକ ବଦଳି ଆଦେଶକୁ ବାତିଲ, ଠିକା କର୍ମଚାରୀଙ୍କ ଦରମା ଅସଙ୍ଗତି ଦୂର କରିବା, ସମାନ କାମକୁ ସମାନ ମଜୁରି, କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଓ ଇଏସଆଇ ଅର୍ଥ ନିୟମିତ ପଇଠ କରିବା, ନିମ୍ନମାନର ବିଦ୍ୟୁତ୍ ଉପକରଣ ଯୋଗୁଁ ଓ ଦୁର୍ବଳ ଭିତ୍ତିଭୂମି କାରଣରୁ ହେଉଥିବା ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବା, ଗ୍ରାହକମାନଙ୍କ ତ୍ରୁଟିଶୂନ୍ୟ ବିଦ୍ୟୁତ୍ ବିଲ୍ ପ୍ରସ୍ତୁତିରେ ଆବଶ୍ୟକୀୟ ଯୋଗ୍ୟତା ସଂପନ୍ନ କର୍ମଚାରୀଙ୍କୁ ନିଯୁକ୍ତିଦେବା ପ୍ରଭୃତି ୯ ଦଫା ସମ୍ବଳିତ ସ୍ମାରକପତ୍ର ଗତ ୬ ତାରିଖରେ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ମାତ୍ର ଟିପିଏନଓଡିଏଲର ପଦସ୍ଥ ଅଧିକାରୀଙ୍କ ଜିଦଖୋର ମନୋଭାବ ଯୋଗୁଁ କୌଣସି ପଦକ୍ଷେପ ନିଆଯାଇ ନଥିବା ବିଦ୍ୟୁତ କର୍ମଚାରୀ ନେତାମାନେ ଆରୋପ ଉଠାଇଛନ୍ତି । ଏନେଇ ଆସନ୍ତା ୧୯ ତାରିଖରେ ରେମୁଣା ଗୋଲେଇସ୍ଥିତ ଟିପିଏନଓଡିଏଲ ମୁଖ୍ୟ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ୨୧ ତାରିଖରୁ କଂପାନୀ କାର୍ଯ୍ୟରେ ଅସହଯୋଗ ଓ ୩୦ ତାରିଖରୁ ସମସ୍ତ ସର୍କଲ ଓ ଡିଭିଜନ ଅଫିସ ଆଗରେ ଗଣଧାରଣା ଦେବାପାଇଁ ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି । ନେସ୍କୋ ପାୱାର ଏମ୍ପ୍ଲୟିଜ ୟୁନିୟନର ଆହ୍ୱାନକ୍ରମେ ଟିପିଏନଓଡିଏଲ୍ ଅଧୀନରେ କାର୍ଯ୍ୟରତ ୬ ଟି ଶ୍ରମିକ ସଂଘକୁ ନେଇ ଗଠିତ ‘ଟିପିଏନଓଡିଏଲ ଶ୍ରମିକ-କର୍ମଚାରୀ ଏକତା ମଞ୍ଚ’ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୯ ତାରିଖରୁ ପର୍ଯ୍ୟାୟ କ୍ରମେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ‘ପାୱାର ଏମ୍ପ୍ଲୟିଜ ୟୁନିୟନ ସାଧାରଣ ସଂପାଦକ ରବୀନ୍ଦ୍ର ନାଥ ବେରା, କେଉଁଝର ଜିଲା ବିଦ୍ୟୁତ କର୍ମଚାରୀ ସଂଘ ସାଧାରଣ ସଂପାଦକ ରାଜେଶ ଦାଶ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ।