୧୯୯୪ ବ୍ୟାଚ୍‌ର ବନ୍ଧୁମିଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଞ୍ଚପାଣ୍ଡବ ଶୈଳବାଳା ଉଚ୍ଚ ବିଦ୍ୟାଳୟ, ଧନିଶୋ ୧୯୯୪ ବ୍ୟାଚ୍‌ର ବନ୍ଧୁମିଳନ ଆସନ୍ତା ଡିସେମ୍ବର ୨୪ ତାରିଖ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଶିକ୍ଷାଦାନ କ୍ଷେତ୍ରରେ ଗୁରୁ ଓ ଶିଷ୍ୟର ପରମ୍ପରାକୁ ଉଜ୍ଜିବୀତ କରି ରଖବା ସହ କର୍ମମୟ ଜଞ୍ଜାଳ ମଧ୍ୟରେ ଟିକେ ମନୋରଞ୍ଜନ ଓ ଚିତ୍ତବିନୋଦନ ତଥା ବିଗତ ଦିନର ବନ୍ଧୁତ୍ୱର ସମ୍ପର୍କକୁ ଅଧିକ ଶାଣିତ, ସୁଦୃଢ, ସଶକ୍ତ ଓ ସୁମଧୁର କରିବା ପାଇଁ ଏହି ବନ୍ଧୁମିଳନ ଅନୁଷ୍ଠିତ ହେବ । ସମୟର ଚଲାପଥରେ ୧୯୯୪ ବ୍ୟାଚ୍‌ର ପ୍ରତିଟି ସାଥୀ ଅନେକ ପାହାଚ ଅତିକ୍ରମ କରିସାରିଲେଣି । ନିଜ ନିଜ ଜୀବନଚର୍ଯ୍ୟାରେ ସଭିଏଁ ବ୍ୟସ୍ତ । ସେହି କର୍ମମୟ ଜୀବନଶୈଳୀରୁ କିଛି ମୁହୂର୍ତ୍ତ ଚୋରାଇ ଆଣି, ପଛରେ ଛାଡ଼ି ଆସିଥିବା ସ୍ମୃତିର ସେହି ପଦଚିହ୍ନ ଆଡ଼କୁ ଟିକେ ଲେଉଟି ଚାହିଁବା ସହ, ସମ୍ପର୍କର ସେତୁକୁ ଅକ୍ଷୁର୍ଣ୍ଣ ଓ ଅତୁଟ ରଖି, ସେଥିରେ ସୌହାର୍ଦ୍ଦ୍ୟର ପ୍ରଲେପ ଟିକେ ବୋଳିଦେବା ହିଁ ଏହି ବନ୍ଧୁମିଳନର ଅସଲ ଉଦ୍ଦେଶ୍ୟ । ଏକାତ୍ମା ହୋଇନପାରିଲେ ବି ଗୋଟିଏ ଜାଗାରେ ଏକତ୍ରିିତ ହେବା ଓ ପରସ୍ପର ମଧ୍ୟରେ ସୁଖ, ଦୁଃଖକୁ ନେଇ କିଛି ଏକାନ୍ତ ସମୟ ବିତାଇବା ମଧ୍ୟ ସାମ୍ପ୍ରତିକ ସମୟରେ ଗୋଟିଏ ଉଦାହରଣୀୟ ଉପଲବ୍ଧ । ବ୍ୟକ୍ତିକୈନ୍ଦ୍ରିକ ବିଚାରଧାରା ଆଜି ଯେତେବେଳେ ସମଗ୍ର ସମାଜକୁ ସଂକ୍ରମିତ କରିବା ସହ କରାୟତ ଓ କବଳିତ କରିଦେଇଛି, ଠିକ୍ ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୯୯୪ ବ୍ୟାଚ୍‌ର ସାଥୀମାନେ ଆତ୍ମିୟତା ଓ ଆନ୍ତରିକତା ସହ ଆନନ୍ଦ ଓ ଉଲ୍ଲାସରେ ପରସ୍ପରକୁ ଆଲିଙ୍ଗନ କରିନେବାର ଉଦ୍ୟମ ବାସ୍ତବରେ ଏକ ଉତ୍ସାହପ୍ରଦ ଉତ୍ସବ । ସେହିପରି କୌଣସି ପଞ୍ଚତାରକା ହୋଟେଲ, ପାର୍କ ବା ଦର୍ଶନୀୟ ସ୍ଥାନରେ ନକରି ବିଗତ ଦିନରେ ପଢିଥିବା ସେହି ବିଦ୍ୟାଳୟ ପରିସରରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋବ । ଆଜିର ସମାଜରେ କିଛି ଭଲ କାମ କରିବା ଓ ମା’, ମାଟି, ମାତୃଭାଷାକୁ ଗୁରୁତ୍ୱ ତଥା ନୈତିକ ଶିକ୍ଷାର ପ୍ରଚାର ଓ ପ୍ରସାର କରିବା ଏହି ବନ୍ଧୁ ମିଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜୟ ନାୟକ, ସୁବାଷ କୁମାର ତାରଣିଆଁ, ସଞ୍ଜୟ ବିଶ୍ୱାଳ, ସୁଧାଂଶୁ ମଲ୍ଲିକ, କୃଷ୍ଣଚନ୍ଦ୍ର ସେଠୀ, ସନ୍ଧ୍ୟାରଣୀ ପରିଡ଼ା, ସସ୍ମିତା ପ୍ରଧାନ ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ