୧୯ ପଡା ଗ୍ରାମକୁ ରାଜସ୍ୱ ଗ୍ରାମରେ ଅନ୍ତର୍ଭୁକ୍ତ ନିମନ୍ତେ ଉପଖଣ୍ଡ ଅନୁମୋଦନ
ଛତ୍ରପୁର, : ସବ୍ଡିଭିଜନ ଅଧୀନରେ ଥିବା ୧୯ ଟି ପଡା ଗ୍ରାମକୁ ରାଜସ୍ୱ ଗ୍ରାମରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସୋମବାର ଅନୁଷ୍ଠିତ ଉପଖଣ୍ଡସ୍ତରୀୟ ଜଙ୍ଗଲ ଜମି ଅଧିକାର କମିଟି ବୈଠକରେ ଅନୁମୋଦନ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଙ୍ଗଲ ଜମି ଅଧିକାର ଆଇନ କମିଟି ବୈଠକରେ ପୋଲସରା ତହସିଲର ୧୪ ଟି ଏବଂ ବେଗୁନିଆପଡା ତହସିଲର ୫ ଟି ପଡା ଗ୍ରାମକୁ ରାଜସ୍ୱ ଗ୍ରାମରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁମୋଦନ ହୋଇଥିଲା । ଏହି ଅନୁମୋଦନ ରିପୋର୍ଟକୁ ଜିଲ୍ଲାସ୍ତରକୁ ପଠାଯିବ । ଏହାପରେ ସରକାର ଉକ୍ତ ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରିବାର ରହିଛି । ପୂର୍ବରୁ ଉପଖଣ୍ଡର ଖଲ୍ଲିକୋଟ ତହସିଲର ୨ ଟି ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇଥିଲା । ସେହିପରି ଓଡିଶା ଜଙ୍ଗଲ ଅଧିକାର ଆଇନ ଅନୁସାରେ ଯୋଗ୍ୟ ଆଦିବାସୀ ଓ ବନବାସୀ ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ତୁରନ୍ତ ପ୍ରଦାନ କରିବାର ପଦକ୍ଷେପ ନିଆଯିବ । ବନବିଭାଗ ଓ ତହିସଲଦାରମାନେ ମିଳିତ ଭାବେ ଜଙ୍ଗଲ ଜମି ଏବଂ ରାଜସ୍ୱ ଜମିକୁ ତଦନ୍ତ କରି ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯିବ । ଏଥିସହ ପଟ୍ଟା ପ୍ରଦାନ ବେଳେ ହିତାଧିକାରୀ ସରକାରଙ୍କ ଆଉ କେଉଁ କେଉଁ ସୁବିଧା ପାଉଛନ୍ତି ଏବଂ ବଞ୍ଚିତ ଅଛନ୍ତି ତାହାର ତାଲିକା ସଂଗ୍ରହ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ବିଡିଓ ନବ କିଶୋର ଜେନା, ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, କୋଦଳା ତହସିଲଦାର ପ୍ରଭାତ କୁମାର ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶଙ୍କ ସମେତ ବନବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।


