୨ଟି କୋର୍ଟରେ ଜାମିନୀ ଦରଖାସ୍ତକାରୀ ମୁଦାଲା ଫେରାର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଏକାଥରକେ ୨ଟି କୋର୍ଟରେ ଜାମିନୀ ଦରଖାସ୍ତକାରୀ ମୁଦାଲା ଫେରାର ହୋଇଯାଇଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ନାରାୟଣ ସାହୁଙ୍କ ପୁଅ ବଳରାମ ସାହୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ୧୩୮୩୬/୨୦୧୯ରେ ଏକ ବେଲ ପିଟିସନ ଦାଖଲ କରିଥିଲେ । ସେହି ମୁଦାଲାଙ୍କର ଓଡିଶା ଉଚ୍ଚ ନ୍ୟାୟାଳୟରେ ବେଲ ପିଟିସନ ବିଚାରାଧିନ ଥିବା ବେଳେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାଜଜଙ୍କ କୋର୍ଟରେ ୫୩୪/୨୦୧୯ନମ୍ବର ବେଲ ପିଟିସନ ଫାଇଲକରି ଗତ ତା ୨୪.୧୦.୨୦୧୯ରିଖରେ ଜାମିନ ପାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ନିକିରେଇ ଥାନା ଅନ୍ତର୍ଗତ ଇଟିପୁର ଗ୍ରାମର ଅମର କୁମାର ପ୍ରଧାନଙ୍କୁ ଜମି ବିକ୍ରୀ କରିବା ପାଇଁ ବଳରାମ ଟଙ୍କା ନେଇ କେନ୍ଦ୍ରାପଡା ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ନିକିରେଇ ଥାନାରେ ୪୨୦ଦଫାରେ ମାମଲା ରୁଜୁ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସେହିବ୍ୟକ୍ତିଙ୍କ ନାମରେ କେନ୍ଦ୍ରାପଡା ସଦର ଥାନାରେ ୨ଟି ୪୨୦ ମାମଲା ରହିଥିବା ବେଳେ ଏକାବେଳକେ ୨ଟି କୋର୍ଟରେ ଜାମିନୀ ଦରଖାସ୍ତ କରି ଜାମିନୀରେ ଆସିଯିବା ମଧ୍ୟ ଆଉ ଏକ ୪୨୦ ଘଟଣା । ଆଇନର ବ୍ୟବସ୍ଥା ମଧ୍ୟରେ ଜଣେ ଦରଖାସ୍ତକାରୀ ଗୋଟିଏ ସମାନ ମାମଲାରେ କେବଳ ଗୋଟିଏ କୋର୍ଟରେ ଜାମିନୀ ଦରଖାସ୍ତ ପକାଇବାର ବ୍ୟବସ୍ଥା ରହିଛି । କିନ୍ତୁ ସେ କିପରି ଦୁଇଟି କୋର୍ଟରେ ବେଲ ପିଟିସନ ଦାଖଲକରି ଖସିଗଲେ ତାହା ତଦନ୍ତ ସାପେକ୍ଷ । ଏଭଳି ଘଟଣାର ତୁରନ୍ତ ବିଚାର କରାଯିବାକୁ ଦରଖାସ୍ତକାରୀ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।