+୨ବିଜ୍ଞାନରେ ଝାଡ଼େଶ୍ୱର ଆବାସିକ ଉଚ୍ଚ ମହାବିଦ୍ୟାଳୟକୁ ଅଦ୍ଭୁତପୂର୍ବ ସଫଳତା
ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଯୁକ୍ତଦୁଇ ବିଜ୍ଞାନ ଫଳାଫଳରେ ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଝାଡ଼େଶ୍ୱର +୨ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରତିଥର ଭଳି ଏଥର ବି ମିଳିଛି ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ମୋଟ ୨୫୬ ଜଣ ଛାତ୍ରଛାତ୍ରୀ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୩ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ତନ୍ମଧ୍ୟରୁ ସୁଶ୍ରୀ ଦେବଯାନୀ ମାଝୀ ଓ ସୁବାସ ଚନ୍ଦ୍ର ଦାସ ଉଭୟ ୫୮୨ ଲେଖାଏଁ ନମ୍ବର ରଖି କଲେଜର ଯୁଗ୍ମ ଟପ୍ପର ହୋଇଛନ୍ତି । ଅନ୍ୟପକ୍ଷରେ ୧୩୬ ଜଣ ୫ଶହ ଉପରେ ନମ୍ବର ରଖିଥିବା ବେଳେ ୨୨୩ ଜଣ ମାଟ୍ରିକ ନମ୍ବରଠାରୁ ଆଶାତୀତ ଭାବେ ଅଧିକ ନମ୍ବର ରଖିଛନ୍ତି । ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଅଧିକ ନମ୍ବର ରଖିଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କଲେଜ କର୍ତ୍ତୃପକ୍ଷ ସମ୍ବର୍ଦ୍ଧିତ କରିଛନ୍ତି । ୨୦୧୫ ମସିହାରୁ ଏହି କଲେଜରେ ଶତପ୍ରତିଶତ ସଫଳତା ଧାରା ଜାରି ରହିଛି । କ୍ରମାଗତ ଭାବେ ପ୍ରତି ବାର୍ଷିକ ପରୀକ୍ଷାରେ ଅନ୍ୟମାନଙ୍କଠାରୁ ଏହି କଲେଜର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଛନ୍ତି । ୨୦୨୦ ମସିହାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରୀମାନ ଅଭିରୂପ ମାଇତି ୫୬୧ ନମ୍ବର ରଖି ସମଗ୍ର ଓଡ଼ିଶାରେ ଷଷ୍ଠ ଓ ଉତ୍ତର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କଲେଜର ଉତ୍ତମ ଶୈକ୍ଷିକ ପରିବେଶ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ଭିତ୍ତିକ ନିଗୁଢ଼ ପର୍ଯ୍ୟାଲୋଚନା, ଉଚ୍ଚକୋଟିର ଶିକ୍ଷାଦାନ ଶୈଳୀ ହିଁ ଶତ ପ୍ରତିଶତ ସଫଳତାର ମୂଳ କାରଣ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏନେଇ ଅଭିଭାବକଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ପ୍ରଥମ ପସନ୍ଦ ହୋଇଛି । ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଗ୍ରହଣ କରି ବେଶ ସଫଳତା ପାଇ ପାରୁଛନ୍ତି ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି ।