୨୦୦ ବର୍ଷ ପରେ ବାଣପୁରରେ ପାଇକର ‘ରଣହୁଙ୍କାର’

ଭୁବନେଶ୍ୱର, : ପାଇକ ବିଦ୍ରୋହର ୨୦୦ ବର୍ଷ ପରେ, ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବାଣପୁରରେ ପୁଣି ଶୁଭିଲା ରଣହୁଙ୍କାର, ଗର୍ଜିଲା ଖଣ୍ଡା, ବୁଲିଲା ତଲବାରୀ । ବୀର ବାଦ୍ୟର ତାଳେ ତାଳେ ଉନ୍ମୁକ୍ତ ସାହାସୀ ବୀର ପାଇକ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବାଣପୁର ମାଟିରେ ତାର ପୂର୍ବସୁରୀଙ୍କୁ ତଲବାରୀ ସଲାମ ପ୍ରଦାନ କରିଥିଲେ ।
ଗତକାଲି ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ବୀର ପ୍ରସବିନୀ, ଲଢୁଆ, ସାହାସୀ, ଅଜେୟ, ଦୁର୍ଜୟ, ରଣରଞ୍ଚା କୃତିବାସ ପାଟ୍ଟଶାଣୀଙ୍କ ମାଟି ବାଣପୁରରେ ଏକ ବିଶାଳ ପାଇକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି, ପାଇକ ନେତା ଅଶୋକ କୁମାର ପାଲଟାସିଂହଙ୍କ ନେତୃତ୍ୱରେ ହଜାର ହଜାର ପାଇକ ବାଣପୁରଠାରେ ଏକାଠି ହୋଇ ପୂର୍ବସୁରୀଙ୍କ ସ୍ମୃତିକୁ ମନେ ପକାଇଥିଲେ । ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସମାବେଶରେ ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ ମା ଭଗବତୀଙ୍କ ନିକଟରୁ ମଶାଲା ଶୋଭାଯାତ୍ରା ଓ ପାଇକ ଆଖଡ଼ାର ତାଳେ ତାଳେ ପାଇକ ବାହିନୀ ସମରକଳା ପ୍ରଦର୍ଶନ କରିଥିଲେ । ଆବାଳ ବୃଦ୍ଧବନିତା, ଛାତ୍ର, ଯୁବକ ଓ ସର୍ବୋପରି ବାଳିକାମାନେ ପାଇକ ଆଖଡ଼ାରେ ସାମିଲ୍ ହୋଇଥିଲେ । ଯେଉଁ ପଲଟଣ ପଡ଼ିଆ ବାଣପୁର ପ୍ରଥମ ସ୍ୱାଧୀନତା ବିପ୍ଲବର ବାର୍ତ୍ତା ସମଗ୍ର ଭାରତବର୍ଷକୁ ପ୍ରଦାନ କରିଥିଲା, ସେହିଠାରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଚିଲିକାର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରଥମେ କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବୀର ସଲାମୀ ପ୍ରଦାନ କରାଯାଇଥିଲା । ପରେ ପରେ କୃତ୍ତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବିଧାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ବିଶାଳ ସମାବେଶରେ ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ‘ପାଇକ କୁଳତିଳକ’ ଉପାଧିରେ ଭୂଷିତ କରାଯାଇଥିଲା । ଭାଟପଡ଼ା ଦଳବେହେରା ମାନବେନ୍ଦ୍ର ମହାରଥାଙ୍କୁ ଓ କୃତ୍ତିବାସ ପାଟ୍ଟଶାଣୀଙ୍କ ଦାୟାଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ସମାବେଶରେ ଯୋଗ ଦେଇଥିବା ଓଡ଼ିଶାର ୮୦ଜଣ ପାଇକ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ପାଇକ ବିଶାରଦ କେଦାର ଦାଶ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପାଇକମାନଙ୍କ ଅର୍ଥନୈତିକ ଉନ୍ନତି, ପାଇକ ଆଖଡ଼ାର ପୁନରୁଦ୍ଧାର, ପାଇକ ଏକାଡ଼େମୀ ଗଠନ ଓ ମାର୍ଚ୍ଚ ୨୯ ତାରିଖକୁ ପାଇକ ଦିବସ ଭାବରେ ପାଳନ କରିବାକୁ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ପାଇକ ଆଖଡ଼ାକୁ ସ୍କୁଲ୍ ଓ କଲେଜରେ ସ୍ଥାନ ଦେଇ ସ୍କାଉଟ୍‌ର ମାନ୍ୟତା ଦେବାକୁ ମଧ୍ୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଏହି ସମାବେଶରେ କଟକ ସଭାପତି ରାଜକିଶୋର ବେହେରା, ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ଯାଜପୁର ଜିଲ୍ଲା ସଭାପତି ହିମାଂଶୁ ଲେଙ୍କା, ଉପଦେଷ୍ଟା ବିଭୂତି ସ୍ୱାଇଁ, ପାଇକ ଆଖଡ଼ା ଗବେଷକ ପ୍ରଫେସର ଗାୟନ ସାମଲ, ପୁରୀ ଗଡ଼ଦୋକନ୍ଦା ଦଳ ବେହେରା ମନୋରଞ୍ଜନ ପଶ୍ଚିମ କବାଟ, ଖୋର୍ଦ୍ଧା କଳିଙ୍ଗ ପାଇକ ସଂଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ, ଢେଙ୍କାନାଳ ଜିଲ୍ଲା ସଭାପତି ନବକିଶୋର ସାମଲ, ଅନୁଗୁଳ ସଭାପତି ରଞ୍ଜନ ବିଶୋଇ, ଜଗତସିଂହପୁରର ଗୋବିନ୍ଦ ଜେନା, ନୟାଗଡ଼ର ଭରତ ଜେନା, ପାଇକଗୁରୁ ଭାସ୍କର ସୁନ୍ଦରାୟଙ୍କ ସମେତ ଓଡ଼ିଶାର ସମସ୍ତ ଜିଲ୍ଲାରୁ ପାଇକ ଗୁରୁମାନେ ଯୋଗଦାନ କରିଥିଲେ । ଶେଷରେ ଶାଖା ସମ୍ପାଦକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ