୨୦୧୨-୧୮ରେ ଚାକିରି ହରାଇଛନ୍ତି ୨କୋଟି ପୁରୁଷ
ମୁମ୍ବାଇ, (ଏଜେନ୍ସି): ବିଗତ ୫ବର୍ଷ ମଧ୍ୟରେ ଦେଶରେ ନିଯୁକ୍ତି ପାଇଥିବା ପୁରୁଷଙ୍କ ସଂଖ୍ୟାରେ ହ୍ରାସ୍ ଘଟିଛି । ୨୦୧୧-୧୨ରୁ ୨୦୧୭-୧୮ମଧ୍ୟରେ ପାଖାପାଖି ୨କୋଟି ପୁରୁଷ ନିଯୁକ୍ତି ହାରାଇଛନ୍ତି । ଏହି ତଥ୍ୟ ନ୍ୟାସ୍ନାଲ୍ ସାମ୍ପଲ୍ ସର୍ଭେ ଅଫିସ୍ (ଏନ୍ଏସ୍ଏସ୍ଓ)ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏନ୍ଏସ୍ଏସ୍ଓର ଆବାଧିକ ଶ୍ରମ ବଳ ସର୍ଭେ (ପିଏଲ୍ଏଫ୍ଏସ୍) ୨୦୧୭-୧୮ ରିପୋର୍ଟର ରିଭ୍ୟୁରୁ ଜଣାପଡ଼ିଛି ଯେ ଏହି ସମୟରେ ଦେଶରେ କେବଳ ୨୮.୬କୋଟି ପୁରୁଷ ହିଁ କାମ କରୁଥିଲେ । ତେବେ ୨୦୧୧-୧୨ରେ ଏହି ସଂଖ୍ୟା ୩୦.୪କୋଟି ଥିଲା । ଏହି ରିପୋର୍ଟକୁ ଏଯାବତ୍ ସାର୍ବଜନିକ କରାଯାଇନଥିଲା । ବର୍ଷ ୧୯୯୩-୯୪ ପରେ ଏପରି ପ୍ରଥମ ଥର ପାଇଁ ହୋଇଛି, ଯେତେବେଳେ ଭାରତରେ ପୁରୁଷ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ୍ ଘଟିଛି । ଏହି ସମୟରେ ୨୧.୯କୋଟି ଲୋକ କାମ କରୁଥିଲେ । ଏହି ଆକଳନ ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ମଧ୍ୟରେ ସଂଗ୍ରହ କରାଯାଇଛି । ଉଭୟ ସହର ଓ ଗ୍ରାମାଞ୍ଚଳରେ ପୁରୁଷଙ୍କ ମଧ୍ୟରେ ବେରୋଜଗାର ହାର କ୍ରମଶଃ ୭.୧% ଓ ୫.୮% ରହିଛି । ଏହି ରିପୋର୍ଟକୁ ରାଷ୍ଟ୍ରୟ ସାଂଖ୍ୟିକି ଆୟୋଗ (ଏନ୍ଏସ୍ସି) ଦ୍ୱାରା ମଞ୍ଜୁରୀ ପ୍ରଦାନ କରାଯାଇଛି । ହେଲେ ଏନ୍ଏସ୍ସିର ଦୁଇ ପ୍ରମୁଖ ଅଧିକାରୀଙ୍କ ଇସ୍ତଫା ପରେ ସରକାର ଏହାକୁ ନିଜ ନିକଟରେ ରଖିଛନ୍ତି । ଇସ୍ତଫା ଦେଇଥିବା ଅଧିକାରୀଙ୍କ ମଧ୍ୟରେ ଏନ୍ଏସ୍ସିର ଅଧ୍ୟକ୍ଷ ପି ସି ମନ୍ମୋହନ୍ ମଧ୍ୟ ସାମିଲ ହୋଇଛନ୍ତି । ଏହି ରିପୋର୍ଟରେ କୃଷି କ୍ଷେତ୍ରରେ ଶ୍ରମିକଙ୍କ ସଂଖ୍ୟାରେ ହୋଇଥିବା ହ୍ରାସ୍ରେ ମଧ୍ୟ ଜୋର୍ ଦିଆଯାଇଛି । ଏହି ସମୟରେ ଗ୍ରାମୀଣ ଭାରତରେ ୩କୋଟିରୁ ଊଦ୍ଧ୍ୱର୍ ସାମୟିକ ଶ୍ରମିକଙ୍କ ଚାକିରି ଯାଇଛି । ଆର୍ଥିକ ବର୍ଷ ୨୦୧୧-୧୨ରେ ଗ୍ରାମାଞ୍ଚଳରେ ସାମୟିକ ଶ୍ରମିକଙ୍କ ସଂଖ୍ୟା ୧୦.୯କୋଟି ଥିଲା । ଆର୍ଥିକ ବର୍ଷ ୨୦୧୭-୧୮ରେ ଏହା ୩.୨କୋଟି ହ୍ରାସ୍ ପାଇ ୭.୭କୋଟି ହିଁ ରହିଛି । ଏହି ହ୍ରାସ୍ ପାଖାପାଖି ୩୦% । ଏଥିସହିତ ସାମୟିକ ଶ୍ରମ ଦ୍ୱାରା ଅଧିକାଂଶ ଆୟକାରୀ ଗ୍ରାମାଞ୍ଚଳ ଘରର ସଂଖ୍ୟା ମଧ୍ୟ ୩.୬କୋଟିରୁ ହ୍ରାସ୍ ପାଇ ୨.୧କୋଟି ରହିଛି । ଚାଷ ଜମିରେ ସାମୟିକ ଶ୍ରମ କରୁଥିବା ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୪୦% ପର୍ଯ୍ୟନ୍ତ ହ୍ରାସ୍ ଘଟିଛି । ଏଥିରେ ରୋଜଗାର ହ୍ରାସ୍ ପାଇଛି । ପୁରୁଷ ଓ ମହିଳା ବର୍ଗରେ ଏହି ସେଗ୍ମେଣ୍ଟ ଦ୍ୱାରା ରୋଜଗାର କ୍ରମଶଃ ୭.୩% ଓ ୩.୩% ହ୍ରାସ୍ ପାଇଛି । ସରକାରଙ୍କ ଅନୁସାରେ ଏହି ପ୍ରକାରର ଆକାଳନରେ କୌଣସି ରାଜନୈତିକ ଚାପ ନଥାଏ । ହେଲେ ବିଶ୍ୱର ୧୦୮ ଅର୍ଥଶାସ୍ତ୍ରୀ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କର ଏଥିପାଇଁ ଘୋର ନିନ୍ଦା କରିଛନ୍ତି ।


