୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ ଓ ଚାକିରୀ ସର୍ତ୍ତାବଳୀ ଲାଗୁ ପାଇଁ ଦାବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଆଜି ଭୁବନେଶ୍ୱରସ୍ଥ ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିର ପ୍ରତିବାଦ କରାଯିବା ସହ ତୁରନ୍ତ ସପ୍ତମ ବେତନ ଓ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା ପାଇଁ ଦାବୀ କରାଯାଇଛି । ୧୯୯୮ ମସିହା ପରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ପାଇଁ ୨୦୧୪ ବ୍ଲକଗ୍ରାଣ୍ଟ ଘୋଷଣା କରିଥିଲେ ଏବଂ ସେଥିରେ ଦୁଃଖଦପୂର୍ଣ୍ଣ ୪୦ପ୍ରତିଶତ, ୬୦ ପ୍ରତିଶତ ଓ ୭୫ ପ୍ରତିଶତ ପରିଶେଷରେ ଆଠବର୍ଷ ପରେ ଶତ ପ୍ରତିଶତ ବେତନ ଦେବା ପାଇଁ ସର୍ତ୍ତ ରଖିଥିଲେ । ବହୁ ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ ବ୍ଲକ ଗ୍ରାଣ୍ଟକୁ ୨୦୧୭ ଅନୁଦାନ ଓ ୨୦୧୪ ବ୍ଲକଗ୍ରାଣ୍ଟକୁ ୨୦୧୮ ଅନୁଦାନ ବର୍ଗ ଭାବରେ ରୂପାନ୍ତରିତ କରି ବ୍ଲକଗ୍ରାଣ୍ଟ ଉଚ୍ଛେଦ କରିଥିଲେ ଏବଂ ପ୍ରାକ୍ତନ ଉଚ୍ଚଶିକ୍ଷା ସଚିବ ଜି.ଭି.ଭି. ଶର୍ମା ୨୦୧୭ ପାଇଁ ଲାଗୁ ହେବା ନିଷ୍ପତ୍ତି ୨୦୧୮ ବର୍ଷ ଲାଗୁ ହେବ ବୋଲି ଓଡ଼ିଶା ଗେଜେଟ ନଂ. ୬୧୫, ତା ୧୮.୦୪.୨୦୧୮ରିଖରେ ଘୋଷଣା କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ୧.୧.୨୦୨୨ରିଖରୁ ୨୦୧୭ ଅନୁଦାନ ବର୍ଗ ପାଇଁ ସପ୍ତମ ବେତନ ଲାଗୁ କରିଥିଲେ ସୁଦ୍ଧା ୨୦୧୮ ଅନୁଦାନ ବର୍ଗ ପାଇଁ ଲାଗୁ କରିନାହାଁନ୍ତି । ସରକାର ସପ୍ତମ ବେତନ ଲାଗୁ ପାଇଁ ୧୦୦ ପ୍ରତିଶତ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀ ମାନଦଣ୍ଡ ନିର୍ଦ୍ଧାରଣ କରିଥିଲେ ମଧ୍ୟ ୧.୧.୨୦୨୨ରିଖରୁ ୨୦୧୮ ଅନ୍ତର୍ଗତ ଅଧ୍ୟାପକ ଓ କର୍ମଚାରୀମାନେ ଶତପ୍ରତିଶତ ଦରମା ପରିସରଭୁକ୍ତ ହୋଇଥିଲେ ମଧ୍ୟ ସପ୍ତମ ବେତନ ଲାଗୁ ନ କରିବା ଦୁଃଖ ଓ ପରିତାପର ବିଷୟ । ଏହି ପରିପ୍ରେକ୍ଷୀରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ସଚିବଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲେ ସୁଦ୍ଧା ସରାକର କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି । ସଂଘ ତରଫରୁ ଆଜିର ବୈଠକରେ ୨୦୧୮ ଅନୁଦାନ ବର୍ଗ ପାଇଁ ସପ୍ତମ ବେତନ ଲାଗୁ କରିବା ସହ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, ଯୁକ୍ତ ୨ ଓ ଯୁକ୍ତ ୩ ପୃଥକୀକରଣ, ଟିଉଟୋରିଆଲ ଶ୍ରେଣୀର ଅସଂଗତି ଦୂର କରିବା ପ୍ରଭୃତି ଦାବୀକୁ ମାନି ନେଇ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଦାବୀ କରାଯାଇଛି । ଯଦି ସରକାର ତୁରନ୍ତ ନିଷ୍ପତ୍ତି ନ ନିଅନ୍ତି, ଆଗାମୀ ଦିନରେ ଜିଲ୍ଲା ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ସହ ମହାବିଦ୍ୟାଳୟସ୍ତରରେ କଳାଦିବସ ପାଳନ କରିବା ଓ ପରିଶେଷରେ ଭୁବନେଶ୍ୱରରେ ଏକ ପ୍ରତିବାଦ ସମାବେଶ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସଂଘର ସଭାପତି ସଲୀଳ ରାଜନନ୍ଦନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ବୈଠକରେ ସର୍ବଶ୍ରୀ ବିଦ୍ୟାଧର ଯୁଜାରସିଂ, ଅନିଲ କୁମାର ଦେବତା, ସଞ୍ଜୀବ କୁମାର ରାଉତ, ପ୍ରଭାତ ରଞ୍ଜନ ଦାସ, ସୁରେଶ ମାଣ୍ଡୋଇ, ଚିନ୍ମୟୀ ରାଉତ, ସୁଜାତା ମିଶ୍ର, ରଜେଶ ଦାସ, ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମତାମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ