୨୦୧୮-୧୯ରେ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିତି – ଏକ ଦୃଷ୍ଟିପାତ

• ନିବେଶ ଏବଂ ଉପଯୋଗରେ ବୃଦ୍ଧି ଯୋଗୁ ୨୦୧୯-୨୦ରେ ଜିଡିପି ଅଭିବୃଦ୍ଧି ହାର ୭% ରହିବ
• ସେବା ରପ୍ତାନି ପରିମାଣ ୨୦୦୦-୦୧ରେ ୦.୭୬୪ ଲକ୍ଷ କୋଟି ତୁଳନାରେ ୨୦୧୮-୧୯ରେ ୧୪.୩୮୯ ଲକ୍ଷ କୋଟିକୁ ବୃଦ୍ଧି
• ବିଶ୍ୱ ସେବା ରପ୍ତାନିରେ ଭାରତର ଅଂଶଧନ ୨୦୦୫ରେ ୨%ରୁ ୨୦୧୭ରେ ୩.୫%କୁ ବୃଦ୍ଧି
• ଜୁନ ୨୦୧୯ରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୪୨୨.୨ ବିଲିୟନ ଆମେରିକୀୟ ଡଲାର
• କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ଉଲ୍ଲେଖନୀୟ ଅଭିବୃଦ୍ଧି; ୨୦୧୫-୧୬ ଠାରୁ ସେବା, ଅଟୋମୋବାଇଲ ଓ କେମିକାଲ କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶ ହାରରେ ବୃଦ୍ଧି
• ୨୦୧୮-୧୯ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) ପରିମାଣ ୧୪.୨% ବୃଦ୍ଧି
• ଉନ୍ନତ ଉତ୍ପାଦନ ଏବଂ ନିର୍ମାଣ କାର୍ଯ୍ୟକଳାପ ଯୋଗୁ ୨୦୧୮-୧୯ରେ ଉଦ୍ୟୋଗ ଅଭିବୃଦ୍ଧି ତ୍ୱରାନ୍ୱିତ

ନିବେଶ ଏବଂ ଉପଯୋଗ କ୍ଷେତ୍ରରେ ଆଶାନୁରୂପ ଅଭିବୃଦ୍ଧି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବାସ୍ତବ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ସରକାର ଆକଳନ କରିଛନ୍ତି । ଆଜି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥନୈତିକ ସମୀକ୍ଷା ରିପୋର୍ଟ ସଂସଦରେ ଉପସ୍ଥାପନ କରିଥିଲେ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ୨୦୧୯-୨୦ରେ ସରକାରଙ୍କୁ ଏକ ବିପୁଳ ଜନମତ ମିଳିଛି ଯାହା ଉଚ୍ଚ ଆର୍ଥିକ ଅଭିବୃଦ୍ଧିକୁ ଭଲ ଭାବେ ସୁହାଇବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ୱାର୍ଲ୍ଡ ଇକୋନୋମିକ ଆଉଟଲୁକ ରିପୋର୍ଟରେ ଭାରତର ଅଭିବୃଦ୍ଧି ହାର ୨୦୧୯ରେ ୭.୩ ପ୍ରତିଶତରୁ ଅଧିକ ରହିବ ବୋଲି ଆକଳନ କରାଯାଇଥିଲା । ବିଶ୍ୱର ଉତ୍ପାଦନ ଅଭିବୃଦ୍ଧି ଏବଂ ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧି ହାର ଯଥାକ୍ରମେ ୦.୩ ଓ ୦.୧ ପ୍ରତିଶତ ହ୍ରାସ ପାଇବା ସତ୍ୱେ ଭାରତ ଜିଡିପି ଅଭିବୃଦ୍ଧି ହାସଲ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା ।
୨୦୧୭-୧୮ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୬.୮ ପ୍ରତିଶତକୁ ଖସି ଆସିଥିଲା ଏହାସତ୍ୱେ ୨୦୧୮-୧୯ରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ହାସଲ କରିଚାଲିଥିଲା । ଅନ୍ୟପକ୍ଷରେ ବିଶ୍ୱର ଉତ୍ପାଦନ ଅଭିବୃଦ୍ଧି ୨୦୧୭ରେ ୩.୮ ପ୍ରତିଶତରୁ ହ୍ରାସ ପାଇ ୨୦୧୮ରେ ୩.୬ ପ୍ରତିଶତରେ ପହଁଚିଥିଲା । ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ, ଚୀନର କଡ଼ା ଋଣ ନୀତି ଏବଂ ବୃହତ ବିକଶିତ ଅର୍ଥବ୍ୟବସ୍ଥାଗୁଡ଼ିକର ସାଧାରଣ ମୁଦ୍ରା ନୀତି ସହିତ ଆର୍ଥିକ କଟକଣା କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଉଦୀୟମାନ ବଜାର ଏବଂ ବିକାଶାୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧି ହ୍ରାସ ପାଇଥିଲା ।
୨୦୧୪-୧୫ ଆର୍ଥିକ ବର୍ଷର ପରବର୍ତୀ ୫ ବର୍ଷ ଲାଗି ଭାରତର ହାରାହାରୀ ଜିଡିପି ଅଭିବୃଦ୍ଧି ହାର ୭.୫% ରହିଆସିଛି । ତେବେ ୨୦୧୮-୧୯ରେ ପୂର୍ବ ଆର୍ଥିକ ବର୍ଷଗୁଡ଼ିକ ତୁଳନାରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ୬.୮% ରହିଥିଲା । ଏହାର କାରଣ ଥିଲା, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ବାଣିଜ୍ୟ, ହୋଟେଲ, ପରିବହନ, ଭଣ୍ଡାରଣ, ସଂଚାର, ଯୋଗାଯୋଗ ଏବଂ ସେବା, ସାଧାରଣ ପ୍ରଶାସନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହାର ନିମ୍ନଗାମୀ ହେବା ।
ବାହ୍ୟ କ୍ଷେତ୍ରକୁ ଦେଖିଲେ, ଚଳନ୍ତି ଖାତା ନିଅଂଟ ୨୦୧୭-୧୮ରେ ଜିଡିପିର ୧.୯%ରୁ ବୃଦ୍ଧି ପାଇଁ ଏପ୍ରିଲ-ଡିସେମ୍ବର ୨୦୧୮ରେ ୨.୬%ରେ ପହଁଚିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଦେଖାଦେଇଥିବା ଉଚ୍ଚ ବାଣିଜ୍ୟ ନିଅଂଟ କାରଣରୁ ଚଳନ୍ତି ଖାତା ନିଅଂଟ ପରିମାଣ ବୃଦ୍ଧି ପାଇଥିଲା । ବାଣିଜ୍ୟ ନିଅଂଟ ପରିମାଣ ୨୦୧୭-୧୮ରେ ୧୬୨.୧ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୮୪ ବିଲିୟନ ଆମେରିକୀୟ ଡଲାରରେ ପହଁଚିଥିଲା । ବ୍ୟବସାୟିକ ଆମଦାନୀ ୨୧.୧ ପ୍ରତିଶତରୁ କମି ୧୦.୪ ପ୍ରତିଶତରେ ପହଁଚିଥିଲା । ଆମେରିକୀୟ ଡଲାର ଆଧାରରେ ସେବା ରପ୍ତାନି ଏବଂ ଆମଦାନୀ ୨୦୧୮-୧୯ରେ ଯଥାକ୍ରମେ ୫.୫ ପ୍ରତିଶତ ଏବଂ ୬.୭ ପ୍ରତିଶତ ରହିଥିଲା । ୨୦୧୭-୧୮ରେ ଏହା ଯଥାକ୍ରମେ ୧୮.୮ ପ୍ରତିଶତ ଏବଂ ୨୨.୬ ପ୍ରତିଶତ ଥିଲା ।
ଭାରତୀୟ ମୁଦ୍ରାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୭.୮%, ୟେନ ତୁଳନାରେ ୭.୭%, ୟୁରୋ ଏବଂ ପାଉଣ୍ଡ ଷ୍ଟର୍ଲିଂ ତୁଳନାରେ ୬.୮%କୁ ବୃଦ୍ଧି ପାଇଥିଲା । ୨୦୧୮-୧୯ରେ ଗୋଟିଏ ଆମେରିକୀୟ ଡଲାର ତୁଳନାରେ ଅକ୍ଟୋବର ୨୦୧୮ରେ ୭୪.୪ଟଙ୍କାରେ ଭାରତୀୟ ମୁଦ୍ରାର କାରବାର ହୋଇଥିବା ବେଳେ ମାର୍ଚ୍ଚ ୨୦୧୯ ଏହା ହ୍ରାସ ପାଇ ୬୯.୨ ଟଙ୍କାରେ ପହଁଚିଥିଲା ।
ବିଦେଶୀ ମୁଦ୍ରା ବିନିମୟ ଭଣ୍ଡାର ୨୦୧୮ ମାର୍ଚ୍ଚ ତୁଳନାରେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୧୧.୬ ବିଲିୟନ ଆମେରିକୀୟ ଡଲାରକୁ ହ୍ରାସ ପାଇଥିଲା । ଏହାସତ୍ୱେ ୧୪ ଜୁନ ୨୦୧୯ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ସୁଦୃଢ଼ ସ୍ଥିତି ୪୨୨.୨ ବିଲିୟନ ଆମେରିକୀୟ ଡଲାର ରହିଥିବା ଜଣାଯାଇଛି ।
୨୦୧୮-୧୯ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) ପରିମାଣ ୧୪.୨% ବୃଦ୍ଧି ପାଇଥିଲା । ସେବା, ଅଟୋମୋବାଇଲ ଏବଂ କେମିକାଲ୍ସ କ୍ଷେତ୍ର ସର୍ବାଧିକ ଏଫଡିଆଇ ଆକୃଷ୍ଟ କରିଥିଲା । ସାମଗ୍ରୀକ ଭାବେ ଦେଖିଲେ, ୨୦୧୫-୧୬ ପର ଠାରୁ ଏଫଡିଆଇ ପ୍ରବାହ ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିଦେଶୀ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବାକୁ ସୂଚାଉଛି ।
ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦ୍ୱେତ ବାଲାନ୍ସ ସିଟ ସମସ୍ୟା ଦେଇ ଗତି କରୁଛି । ଯାହା ଉଭୟ କର୍ପୋରେଟ ଏବଂ ବ୍ୟାଙ୍କ ବାଲାନ୍ସ ସିଟକୁ ଇଙ୍ଗିତ କରୁଛି । ଅଚଳ ପରିସମ୍ପତି (ଏନପିଏ) ପରିମାଣ ବୃଦ୍ଧି ପାଇବା କାରଣରୁ ଏହା ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ ଉପରେ ଚାପ ପକାଇଚାଲିଛି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ଚାପ ଅଧିକ ରହିଛି ।
ଉପଯୋଗ ସର୍ବଦା ଅର୍ଥ୍ୟବ୍ୟବସ୍ଥାର ଦୃଢ଼ ଏବଂ ପ୍ରମୁଖ ବାହକ ରହିଆସିଛି । ଯଦିଓ ଜିଡିପିରେ ଘରୋଇ ଉପଯୋଗ ପରିମାଣ ଉଚ୍ଚ ହାରରେ ରହିଛି, ଉପଯୋଗର ଢାଂଚାରେ କେତେକ ପରିବର୍ତନ ଦେଖିବାକୁ ମିଳିଛି । ଉତ୍ପାଦ ଠାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ଉପଯୋଗର ଢାଂଚା ଜରୁରୀ ଠାରୁ ବିଳାସପୂର୍ଣ୍ଣ ଦିଗରେ ଗତି କରିଛି ।
ନିବେଶ ହାର ଏବଂ ସ୍ଥାୟୀ ନିବେଶ ହାର ୨୦୧୧-୧୨ ପର ଠାରୁ କ୍ରମାଗତ ହ୍ରାସ ପାଇଥିବା ବେଳେ ୨୦୧୭-୧୮ ଠାରୁ ଏଥିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି । ସ୍ଥାୟୀ ନିବେଶ ଅଭିବୃଦ୍ଧି ୨୦୧୬-୧୭ରେ ୮.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୭-୧୮ରେ ୯.୩ ପ୍ରତିଶତରେ ପହଁଚିଛି ଏବଂ ଏହା ଆହୁରି ବୃଦ୍ଧି ପାଇ ୨୦୧୮-୧୯ରେ ୧୦.୦ ପ୍ରତିଶତରେ ପହଁଚିଛି । ୨୦୧୬-୧୭ ପର୍ଯ୍ୟନ୍ତ ସ୍ଥାୟୀ ନିବେଶରେ ହ୍ରାସ ମୁଖ୍ୟତଃ ଘରୋଇ କ୍ଷେତ୍ରରେ ଦେଖିବାକୁ ମିଳିଥିବା ବେଳେ ରାଷ୍ଟ୍ରାୟତ କ୍ଷେତ୍ର ଏବଂ ଘରୋଇ କର୍ପୋରେଟ କ୍ଷେତ୍ରରେ ସ୍ଥାୟୀ ନିବେଶ ପାଖାପାଖି ସମାନ ରହିଛି ।
ଉଭୟ ବୃହତ ଏବଂ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ଋଣ ଲଗାଣ ବୃଦ୍ଧି ପାଇଛି । ୨୦୧୬ ଏବଂ ୨୦୧୭ରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ବ୍ୟାଙ୍କ ଋଣ ଲଗାଣ ପରିମାଣ ସାମାନ୍ୟ ନିମ୍ନଗାମୀ ହୋଇଥିଲେ ହେଁ ଏହା ୨୦୧୮ରେ ବୃଦ୍ଧି ପାଇଥିଲା । ମାର୍ଚ୍ଚ ୨୦୧୬ରେ ବୃହତ ଉଦ୍ୟୋଗଗୁଡ଼ିକୁ ଋଣ ଲଗାଣ ପରିମାଣ ହ୍ରାସ ପାଇଥିଲା ଏବଂ ଏହା ଅକ୍ଟୋବର ୨୦୧୬ ବେଳକୁ ନକାରାତ୍ମକ ସ୍ଥିତିକୁ ଚାଲିଆସିଥିଲା । ୨୦୧୭-୧୮ ପର ଠାରୁ ଏଥିରେ ଉନ୍ନତି ଆସିଛି । ୨୦୧୮ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହା ଊଦ୍ଧ୍ୱର୍ଗାମୀ ହୋଇଥିବା ଦେଖାଯାଇଛି ।
୨୦୧୧-୧୨ରେ ଉଦ୍ୟୋଗ କ୍ଷେତ୍ରରେ ସର୍ବାଧିକ ନିବେଶ ହାର ଦେଖିବାକୁ ମିଳିଥିଲା । ଏହାପଛକୁ ସେବା କ୍ଷେତ୍ର ରହିଥିଲା । ଅନ୍ୟପକ୍ଷରେ କୃଷି କ୍ଷେତ୍ରରେ ନିବେଶ ହାର ସେବା କ୍ଷେତ୍ର ତୁଳନାରେ ଅଧା ଠାରୁ କମ ଥିଲା । ୨୦୧୭-୧୮ରେ ସେବା କ୍ଷେତ୍ରରେ ନିବେଶ ପରିମାଣ ସର୍ବୋଚ୍ଚ ସ୍ତରରେ ପହଁଚିଥିଲା । କୃଷି କ୍ଷେତ୍ରରେ ନିବେଶ ହାର ତଥାପି ପଛରେ ରହିଥିଲା ଏବଂ ବର୍ତମାନ ଏହା ଶିଳ୍ପ କ୍ଷେତ୍ର ତୁଳନାରେ ଅଧା ସ୍ଥିତିରେ ରହିଛି । ସମାନ୍ତରାଳ ଭାବେ, ସଂଚୟ ହାରରେ ମଧ୍ୟ ହ୍ରାସ ଦେଖାଦେଇଛି । ପାରିବାରିକ କ୍ଷେତ୍ରରେ ହ୍ରାସ ସର୍ବାଧିକ ରହିଛି । ୨୦୧୧-୧୨ରେ ପାରିବାରିକ ସଂଚୟ ୨୩.୬%ରୁ ହ୍ରାସ ପାଇ ୨୦୧୭-୧୮ରେ ୧୭.୨%ରେ ପହଁଚିଛି ।
ମୁଦ୍ରା ଏବଂ ଆମେରିକୀୟ ଡଲାର ଆଧାରରେ ଆମଦାନୀ ଏବଂ ରପ୍ତାନି ଅଭିବୃଦ୍ଧି ହାର ଭିନ୍ନ ରହିଥିଲା । ୨୦୧୮-୧୯ରେ ଆମେରିକୀୟ ଡଲାରରେ ରପ୍ତାନି ଏବଂ ଆମଦାନୀ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ମୁଦ୍ରାରେ ବୃଦ୍ଧି ପାଇଥିଲା । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ କାରଣରୁ ଏହା ହୋଇଥିଲା ।
ମୋଟ ସମ୍ବର୍ଦ୍ଧିତ ମୂଲ୍ୟ ଆର୍ଥିକ ଗତିବିଧିରେ ହ୍ରାସକୁ ସୂଚାଉଥିଲା ଏବଂ ୨୦୧୮-୧୯ରେ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିଥିଲା, ଯାହାକି ୨୦୧୭-୧୮ ତୁଳନାରେ କମ । ୨୦୧୮-୧୯ ବର୍ଷରେ ପରୋକ୍ଷ ଟିକସରେ ଅଭିବୃଦ୍ଧି ୮.୮ ପ୍ରତିଶତ ରହିଥିଲା, ୨୦୧୭-୧୮ ତୁଳନାରେ ଆର୍ଥିକ ଗତିବିଧି କମ ହେବା କାରଣରୁ ଏହା ନିମ୍ନଗାମୀ ହୋଇଥିଲା ।
ଅର୍ଥବ୍ୟବସ୍ଥାରେ ସେବା କ୍ଷେତ୍ର ସବୁଠୁ ଗତିଶୀଳ ରହିଥିଲା ଏବଂ ଆର୍ଥିକ ଅଭିବୃଦ୍ଧି ହାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । ସକଳ ସମ୍ବର୍ଦ୍ଧିତ ମୂଲ୍ୟରେ ଏହାର ବଡ଼ ଭାଗୀଦାରୀ ରହିଥିଲା । ସେବା କ୍ଷେତ୍ରରେ ରପ୍ତାନିର ମୋଟ ଯୋଗଦାନ ୨୦୦୦-୦୧ର ୦.୭୪୬ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୪.୩୮୯ ଲକ୍ଷ କୋଟି ଟଙ୍କାରେ ପହଁଚିଥିଲା । ଅର୍ଥାତ ମୋଟ ରପ୍ତାନିରେ ଏହାର ଭାଗୀଦାରୀ ୨୬.୮ ପ୍ରତିଶତ ରହିଥିଲା ।
କୃଷି କ୍ଷେତ୍ରରେ ଦୁଇ ବର୍ଷ ଭଲ ଅଭିବୃଦ୍ଧି ହାର ହାସଲ କରିବା ପରେ ୨୦୧୮-୧୯ରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ବାସ୍ତବିକ ଅଭିବୃଦ୍ଧି ହାର ହ୍ରାସ ପାଇ ୨.୯ ପ୍ରତିଶତ ହୋଇଯାଇଥିଲା । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ତୃତୀୟ ପୂର୍ବାନୁମାନ ଅନୁଯାୟୀ ୨୦୧୮-୧୯ରେ ଖାଦ୍ୟଶସ୍ୟର ମୋଟ ଉତ୍ପାଦନ ୨୦୧୭-୧୮ (ଅନ୍ତିମ ଅନୁମାନ) ୨୮୩.୪ ମିଲିୟନ ଟନ ରହିବ । ୨୦୧୮-୧୯ରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଥିଲା ।

୨୦୧୮-୧୯ରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି, ଉତ୍ପାଦନ ଏବଂ ନିର୍ମାଣ ଗତିବିଧିରେ ସୁଧାର ଆସିବା କାରଣରୁ ସମ୍ଭବ ହୋଇଛି । ଏହି କାରଣରୁ ଦୁଇଟି ଉପକ୍ଷେତ୍ର, ଖନନ ଏବଂ ଉତଖନନ ଏବଂ ବିଦ୍ୟୁତ, ଗ୍ୟାସ, ଜଳଯୋଗାଣ ଏବଂ ଅନ୍ୟ ଉପଯୋଗୀ ସେବାରେ ବୃଦ୍ଧି ହୋଇଛି । ୨୦୧୮-୧୯ରେ ଉତ୍ପାଦନ ମୋଟ ଜିଭିଏ ୧୬.୪ ପ୍ରତିଶତ ଲାଗି ଉତରଦାୟୀ ଥିଲା, ଯାହା କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଠାରୁ ସାମାନ୍ୟ ଅଧିକ ଥିଲା ।

୨୦୧୮-୧୯ରେ ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ହାର ଉଚ୍ଚ ରହିଥିଲା । ତେବେ ଆର୍ଥିକ ବର୍ଷର ଶେଷରେ ଏହାର ଗତି ସାମାନ୍ୟ ହ୍ରାସ ପାଇଥିଲା । ବର୍ଷର ଚତୁର୍ଥ ତ୍ରୈମାସରେ ଏହାର ବୃଦ୍ଧି ହାର ୩.୧ ପ୍ରତିଶତ ଥିଲା । ଯାହା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସରେ ଯଥାକ୍ରମେ ୧୨.୧ ପ୍ରତିଶତ, ୬.୯ ପ୍ରତିଶତ ଏବଂ ୬.୪ ପ୍ରତିଶତ ରହିଥିଲା । ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୈମାସରେ ଏନବିଏଫସି ପକ୍ଷରୁ କମ ଋଣ ଦିଆଯିବା କାରଣରୁ ଅଟୋ କ୍ଷେତ୍ରରେ ବିକ୍ରି ବୃଦ୍ଧି ପାଇଥିଲା ।
ସିମେଂଟ ଉତ୍ପାଦନ ଏବଂ ଇସ୍ପାତର ଉପଯୋଗରେ ବୃଦ୍ଧିକୁ ବ୍ୟବହାର କରି ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ସମ୍ପର୍କରେ ପୂର୍ବାନୁମାନ କରାଯାଇଥାଏ । ସିମେଂଟର ଉତ୍ପାଦନ ଏବଂ ଇସ୍ପାତର ଉପଯୋଗ ୨୦୧୮-୧୯ରେ ଯଥାକ୍ରମେ ୧୩.୩ ପ୍ରତିଶତ ଏବଂ ୭.୫ ପ୍ରତିଶତ ହାରରେ ବୃଦ୍ଧି ହୋଇଥିଲା, ଯାହାକି ୨୦୧୭-୧୮ ତୁଳନାରେ ଅଧିକ ଥିଲା । ତେଣୁ ୨୦୧୮-୧୯ରେ ନିର୍ମାଣ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ପ୍ରତି ଏହା ଇଙ୍ଗିତ କରୁଛି ।
ଆର୍ଥିକ, ରିଅଲ ଇଷ୍ଟେଟ ଏବଂ ବ୍ୟବସାୟିକ ସେବା କ୍ଷେତ୍ରରେ ୨୦୧୮-୧୯ ବର୍ଷରେ ୭.୪ ପ୍ରତିଶତ ହାରରେ ଅଭିବୃଦ୍ଧି ହୋଇଥିଲା ଯାହାକି ୨୦୧୭-୧୮ରେ ହୋଇଥିବା ୬.୨ ପ୍ରତିଶତ ବୃଦ୍ଧି ଠାରୁ ଅଧିକ । ଏହି କ୍ଷେତ୍ର ଅର୍ଥବ୍ୟବସ୍ଥାର ସମଗ୍ର ଜିଭିଏ ଠାରୁ ୨୦ ପ୍ରତିଶତ ଠାରୁ ଅଧିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ