୨୦୧୯ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିବ-ଅଭିଜିତ୍ଙ୍କ, ଡୁଫ୍ଲୋ ଓ କ୍ରେମର, ଭାରତରେ ଜନ୍ମିତ ଅଭିଜିତ୍ ଆମେରିକାର ନାଗରିକ
ଷ୍ଟକ୍ହୋମ୍ : ଭାରତୀୟ-ଆମେରିକୀୟ ଅଭିଜିତ୍ ବାନାର୍ଜୀଙ୍କୁ ୨୦୧୯ ପାଇଁ ଅର୍ଥନୀତିର ନୋବେଲ ପୁରସ୍କାର ମିଳିବ । ରୟାଲ ସ୍ୱିଡିସ୍ ଏକାଡେମି ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବାନାର୍ଜୀଙ୍କ ସହିତ ତାଙ୍କ ପତ୍ନୀ ଇସ୍ତର ଡୁଫ୍ଲୋ ଏବଂ ମାଇକେଲ୍ କ୍ରେମରଙ୍କୁ ମଧ୍ୟ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଦିଆଯିବ । ବିଶ୍ୱରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏମାନଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟକୁ ବିଚାରକୁ ନିଆଯାଇ ଏହି ୩ ଜଣଙ୍କ ନାମ ନୋବେଲ୍ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ବୋଲି ନୋବେଲ୍ କମିଟି ସୂଚନା ଦେଇଛି । ୫୮ ବର୍ଷୀୟ ଅଭିଜିତ୍ ବାନାର୍ଜୀ ୧୯୬୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ କୋଲକାତା ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିଲେ । ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ୧୯୮୮ ମସିହାରେ ପିଏଚ୍ଡିଚପାଇଥିଲେ । ପ୍ରଫେସର ବାନାର୍ଜୀ ବର୍ତ୍ତମାନ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଫୋର୍ଡ ଫାଉଣ୍ଡେସନ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ୨୦୦୩ରେ ପ୍ରଫେସର ବାନାର୍ଜୀ ପ୍ରଫେସର ଡୁଫ୍ଲୋ ଏବଂ ସେନ୍ଧିଲ ମୁଲାଏନ୍ଥାନ୍ଙ୍କ ସହ “ଅବଦୁଲ ଲତିଫ୍ ଜାମିଲ୍ ପର୍ଭଟି ଆକ୍ସନ୍ ଲ୍ୟାବ୍ ‘ ଗଠନ କରି ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଜାତିସଂଘ ମହାସଚିବଙ୍କ ଉଚ୍ଚସ୍ତରୀୟ ପ୍ୟାନେଲରେ “ପୋଷ୍ଟ-୨୦୧୫ ଡେଭଲପମେଣ୍ଟ ଏଜେଣ୍ଡା’ରେ କାର୍ଯ୍ୟ କରିଛନ୍ତି । ଅଭିଜତ୍ ଆମେରିକା ଏକାଡେମି ଅଫ୍ ଆର୍ଟ୍ସ ଆଣ୍ଡ ସାଇନ୍ସର ଫେଲୋ ମନୋନୀତ ହୋଇଛନ୍ତି । ସେ ଅର୍ଥନୀତିରେ ଅନେକ ପୁସ୍ତକ ରଚନା କରିଛନ୍ତି । ୨୦୧୯ରେ ତାଙ୍କ ରଚିତ ପୁସ୍ତକ “ହ୍ୱାଟ୍ ଦି ଇକନମି ନିଡସ ନାଓ’ ବେଶ୍ ଚର୍ଚ୍ଚିତ ହୋଇଛି । ଏହା ପୂର୍ବରୁ ୨୦୧୧ରେ “ପୁଅର୍ ଇକନମି , ୨୦୦୭ରେ “ଏଡ୍ ୱାର୍କ ଭଳି ପୁସ୍ତକ ରଚନା କରି ଚର୍ଚ୍ଚିତ ହୋଇଥିଲେ । ଅନ୍ୟତମ ବିଜେତା ଇସ୍ତର ଡ୍ୟୁଫ୍ଲୋ ହେଉଛନ୍ତି ଅଭିଜିତ୍ ବାନାର୍ଜୀଙ୍କ ପତ୍ନୀ । ସେ ପ୍ୟାରିସରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ । ଡୁଫ୍ଲୋ ହେଉଛନ୍ତି ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଥିବା ଦ୍ୱିତୀୟ ଓ ସର୍ବକନିଷ୍ଠ ମହିଳା । ସେହିଭଳି ୧୯୬୪ରେ ଜନ୍ମିତ ଆମେରିକୀୟ ପ୍ରଫେସର ମାଇକେଲ୍ କ୍ରେମର ୧୯୯୨ରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ଡିଗ୍ରି ପାଇଥିବାବେଳେ ସେହି ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ୮୧ ଜଣଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି ।